== ଓଡ଼ିଆ ଲିରିକ୍ସ ==
ଗୀତ : କିସା ଗୌତମୀ
ଭାଷା : ଓଡ଼ିଆ
ପୁସ୍ତକ : ଓଡ଼ିଆ ସାହିତ୍ୟ ବହି
ଗୀତିକାର : ବୈକୁଣ୍ଠନାଥ ପଟ୍ଟନାୟକ
କହିଲେ କିସା ଗୌତମୀ, “ପ୍ରଭୁ ! ଭ୍ରମିଲି ଲକ୍ଷ ଘର
ମୁଠାଏ ତ ଦୂର, ସର୍ଷପ ଏକ ନୁହେଁ ସମ୍ଭବପର ॥୧॥
ଯେତେ ଯହିଁ ଗଲେ ଅଶ୍ରୁର ଲୀଳା, ମୃତ୍ୟୁର ଅଟ୍ଟହାସ,
ଚୂର୍ଣ୍ଣ କଲା ମୋ ପଥର ପରାଣ ପ୍ରସ୍ତର କଲା ପ୍ରାସ ॥୨॥
ଦେଖିଛି ସଦ୍ୟ ସନ୍ତାନହରା ନୟନୁଁଁ ଶୁଷ୍କ ନୀର,
ଚିତ୍ରପ୍ରତିମା ସମାନ ଅଚଳ, ସସ୍ତନୁ ବହେ କ୍ଷୀର ॥୩॥
ଖାଇବାର ଶିଶୁ ଶମଶାନପୁରୁ ବାହୁଡ଼ି ନ ଆସେ ଭୁଲି,
ଲହୁଧାର ପରି ବହେ କ୍ଷୀରଧାର ଉଲ୍ଲାସେ ଖାଇ ଧୂଳି ॥୪॥
ସଦ୍ୟ ବିଧବା ଷୋଡ଼ଶୀ ତରୁଣୀ ବର୍ଷେ ହେଇନି ବିଭା,
ଉତ୍ସବ ବାଜା ନିଭିଛି କି ନାହିଁ ବାଡ଼ିରେ ରାବଇ ଶିବା ॥୫॥
ନିଭି ନ ଥିଲା ତା’ ଶିର ସିନ୍ଦୂର ନୟନୁ କଜଳ ଗାର,
ଗଗନ ଭୂଧର ଭାଜି ପଡ଼ୁଥିଲା ଶୁଣି ତାର ହାହାକାର ॥୬॥
ଅଶୀତି ବର୍ଷ ବୃଦ୍ଧା ଯୁଗଳନୟନକୁ ଦିଶେ ନାହିଁ,
ଛାଡ଼ିଯାଇଥିଲେ ଏକ ପରେ ଆନ ଭର୍ତ୍ତା ପିଅର ଭାଇ ॥୭॥
ଥିଲା ତା’ ମାତ୍ର ସମ୍ବଳ ଏକ ରାହୁ ପରି ଯୁବା ପୁଅ,
ଅଜ୍ଞାତେ କେବେ ଭସାଇ ନେଇଛି ଅକାଳ ମରଣ ସୁଅ ॥୮॥
ଅଣ୍ଡାଳି ହୁଏ କାହିଁ ଗଲା ତା’ର ଅନ୍ଧଲଉଡ଼ି ପରା,
କାହିଁ ତା’ ପୁତ୍ର ? ପଥର ଯଷ୍ଟି ? କେହି ଦିଏ ନାହିଁ ଧରା ॥୯॥
କାହାର ସାତୋଟି ସନ୍ତାନ ସବୁ ଗଲେ ଏକ ଏକ କରି,
କୋଡ଼େ ବସି ଶିର, ଦୀର୍ଣ୍ଣ ତା’ ବୁକୁ ଗର୍ଭବେଦନା ସ୍ମରି ॥୧୦॥
ଭର୍ତ୍ତା ତାହାର ପ୍ରବୋଧଇ ବସି, ‘ଭାଗ୍ୟେ ଯା ଥିଲା ହେଲା,
ଭୁଲି ଯାଅ ସଖୀ ! ଧିକ୍କ ବିଧାତା କାହିଁକି ଜନ୍ମ ଦେଲା ! ॥୧୧॥
ପୁଣି ପୁରାତନ-ଅନୁରାଗ ପ୍ରୀତି ସଞ୍ଚାର କରେ ବସି,
ସାତ-ସନ୍ତାନ-ବିରହୀ-ଜନନୀ-ବେଦନା ପଡ଼ଇ ଖସି ॥୧୨॥
ଚାହିଁ ସେ ଦେଖଇ ଯୌବନ-ରସ-ପାତ୍ର ହୋଇନି ଶେଷ,
ନିଗାଡ଼ି ପିଇବ ବୋଲି ଧରେ ଅବା ନିଭିବ ଯାତନା କ୍ଳେଶ ॥୧୩॥
କେ ପୁଣି ତରୁଣୀ ପ୍ରଥମ ଗର୍ଭ ହରାଇ ଗଲାଣି ଭୁଲି,
ଅଧର ନୟନ-ରଞ୍ଜନ-ଆଶେ ଅନୁରାଗେ ଧରେ ତୂଳି ॥୧୪॥
ଦ୍ଵିତୀୟର ଲାଗି ପୂଜା-ଆରାଧନା-ମଣ୍ଡନ-ଅଭିସାର,
ନବଯୌବନ-ତୀବ୍ର-ରଭସେ ବିସ୍ମୃତ ହାହାକାର ॥୧୫॥
ବିରଚଇ କେଶ, ଲାଗିହୁଏ ପୁଣି କସ୍ତୁରୀ ଗୋରଚନା,
ପୁଚ୍ଛୁଁଁ ଉତ୍ସୁକେ ସନ୍ତାନ କଥା, କ୍ଷଣେ ହେଲା ବାଟବଣା ॥୧୬॥
ଦୀର୍ଘ ଶୁଆସେ କହିଲା, ଭଗିନୀ, ଆମର ଭାଗ୍ୟ ଦୋଷ,
ନୁହେଁ ଯା’ ଆମର କିବା ହେବ କରି ତାହାଲାଗି ଅବଶୋଷ ? ॥୧୭॥
ଛଅ ମାସ କାଳ ତା ପିଅର ମୁଖେ ଦେଲେ ନାହିଁ ପାଣି ଅନ୍ନ,
କଳା କାଠ ପରି ମଳିନ ଦିଶିଲା ସ୍ୱର୍ଣ୍ଣ ସମାନ ବର୍ଣ୍ଣ ॥୧୮॥
କିଏ ବା ଶୁଣିଲା, ପାଗଳ ପରାଏ ଆହା ଯେତେ ହେଲେ ଝୁରି ?
କହିଲି ବୁଝାଇ, ଭାଗ୍ୟରେ ଥିଲେ କାଲି ଘର ଯିବ ପୂରି ।’ ॥୧୯॥
ଦେଖିଲି ଏସନ ଘର ଘର ବୁଲି କେତେ ଛାୟାବାଜି-ଖେଳ,
କାହିଁ ବା ହୃଦୟ ସ୍ତବଧ କାତର କାହିଁ ବା ବିଦ୍ଧ ଶେଳ ॥୨୦॥
ମଦ୍ୟପ ସମ ମୃତ୍ୟୁକୁ ଭୁଲି କେବା ହସି ଖେଳି ଗାଏ,
ଯୌବନ-ମଦେ କ୍ଷଣିକ-ମତ୍ତ-ବିଭତ୍ସ-ଆଖି ଚାହେଁ ॥୨୧॥
ଛାଡ଼ିଗଲେ ନିଶା ବିକଳେ କାନ୍ଦେ ଅସହାୟ ଶିଶୁ ସମ,
ଏହି ତ ଜୀବନ ! ଶିବ ଆନନ୍ଦ ? ଏଥି ଅମୃତ ଭ୍ରମ ? ॥୨୨॥
ସହିହେବ ଶତ ସନ୍ତାନ-ଶୋକ, ରହିଛି ରହିବ ପ୍ରାଣ,
ସକଳ ଶୋକରୁ ବଳି ଅସହ୍ୟ ଆତ୍ମାର ଅପମାନ ॥୨୩॥
ଲୋଡ଼ା ନାହିଁ ହୃତ ସନ୍ତାନ ପ୍ରଭୁ, ମୋ’ ଭଳି ଛନ୍ତି ଶତ,
ଆତ୍ମାପମାନ-ଅଜ୍ଞାନ-ତମୁ କଢ଼ାଇ ନିଅ ହେ ପଥ ॥୨୪॥
ଲୋଡ଼ା ନାହିଁ ମୋ’ର ଚାମର ଚିକୁର, ନୟନ ଦୀପ୍ତି-ଛଟା,
ତୀବ୍ର ଏ ରୂପ-ଅନଳରେ ପୋଡ଼ି ହୁଏ ଆପେ ହଟହଟା ॥୨୫॥
ଅରୁଣ, ଅଧର, ରମ୍ୟ ବକ୍ଷ, ରମଣୀସୁଲଭ ବ୍ରୀଡ଼ା
ଚାହିଁ ତା ମୃତ୍ୟୁ କଙ୍କାଳ ହସେ ! କୋଟି କୀଟ କରେ କ୍ରୀଡ଼ା ॥୨୬॥
ଦୁର୍ବଳ ଶତ ରୂପ ମାଧୁର୍ଯ୍ୟ ରମଣୀ-ଗର୍ବ-ଧନ-
ଲୋଡ଼ା ନାହିଁ ପ୍ରଭୁ, ପଥ ଦିଅ କହି, କଲି ପଦେ ଅର୍ପଣ ।” ॥୨୭॥
* * * *
ମନ୍ଦେ ବିହସି ଉତ୍ତର କଲେ କାରୁଣିକ ତଥାଗତ,
“ଜାଣି ମୁଁ ଭଗିନୀ ! ପଠାଇଲି ତହିଁ ପାଇବ ଜୀବନ ପଥ ॥୨୮॥
ନୁହେଁ ମୁଁ ଦେବତା ମାନବ ମାତ୍ର; ରକ୍ତମାଂସ ଦେହ,
ମାନବ ପକ୍ଷେ ସମ୍ଭବ ଯାହା ଲଭିବ ଶାନ୍ତି ସ୍ନେହ ॥୨୯॥
ଆବୋରି ଅଙ୍ଗେ ଗୈରିକ ବାସ ଲଭିବ ସ୍ଥବିର ସଙ୍ଗ,
ଦୁର୍ଦ୍ଦିନ ତଳେ ବତାଇବ ପଥ ଅବିନଶ୍ଵର ‘ସଂଘ’ ।” ॥୩୦॥
ଶବ୍ଦାର୍ଥ
ସର୍ଷପ : ବି. ସୋରିଷ ଦାନା
ସସ୍ତନୁ : ବି. ସ୍ତନରୁ
ପ୍ରାସ : ବି. ପରାସ, ଦରଜ, ବ୍ୟଥା, ଯନ୍ତ୍ରଣା
ଶିବା : ବି. ବିଲୁଆ, ଶୃଗାଳ
ଭାଜିବା : କ୍ରି. ଭାଙ୍ଗିବା, ନଷ୍ଟ କରିବା
ଅଶୀତି : ବି. ୮୦ ସଂଖ୍ୟା
ପିଅର : ବି. ବାପା, ପିତା, ନିକଟତମ ବ୍ୟକ୍ତି, ପ୍ରିୟତମ ଲୋକ
ରାହୁ : ବି. ଅସୁର ବିଶେଷ, ସର୍ବନାଶକାରୀ ବ୍ୟକ୍ତି
ଯଷ୍ଟି : ବି. ଆଶାବାଡ଼ି, ଲାଠି, ଦଣ୍ଡ
ଦୀର୍ଣ୍ଣ : ବିଂ. ଭଗ୍ନ, ଖଣ୍ଡିତ
ପ୍ରବୋଧିବା : କ୍ରି. ସାନ୍ତ୍ୱନା ଦେବା, ଜାଗ୍ରତ କରିବା, ଉଦ୍ବୋଧିତ କରିବା
ତୂଳି : ବି. ତୂଳୀ, ତୂଳିକା, ଚିତ୍ର କରିବାର ଲେଖନୀ
ଅଭିସାର : ବି. ପ୍ରେମିକ ପ୍ରେମିକାର ମିଳନ ସ୍ଥଳ
ରଭସ : ବି. ମିଳନ, ସମ୍ଭୋଗ, ରତିକ୍ରୀଡ଼ା
ଗୋରଚନା : ବି. ଗୋରୁ ମୁଣ୍ଡରୁ ବା ପିତ୍ତାଶୟରୁ ବାହାରିଥିବା ହଳଦିଆ ଶୁଖିଲା ଟାଣ ପିତ୍ତ, ଏହାକୁ ଘୋରି ତିଳକ କରାଯାଏ
ଶେଳ : ବି. ଅସ୍ତ୍ରବିଶେଷ, ପ୍ରାଚୀନ ଯୁଦ୍ଧାସ୍ତ୍ର ବିଶେଷ
ବିଭତ୍ସ : ବିଂ. ଭୟାନକ
ହୃତ : ବିଂ. ଚୋରିହୋଇଯାଇଥିବା, ଅପହୃତ, ଲୁଣ୍ଠିତ
ଚାମର ଚିକୁର : ବି. କେଶଗୁଚ୍ଛନିର୍ମିତ ବ୍ୟଜନ ବା ବିଞ୍ଚଣା, ଚଅଁର
ବ୍ରୀଡ଼ା : ବି. ଲଜ୍ଜା, ଲାଜ, ଶରମ
ଆବୋରିବା : କ୍ରି. ଚାରିପାଖେ ବାଡ଼ ବୁଲାଇବା, ଘେରି ରହିବା
ସ୍ଥବିର : ବି. ବୌଦ୍ଧ ସନ୍ନ୍ୟାସୀ, ବିଂ. ସ୍ଥିର
କିସା ଗୌତମୀ :
ଓଡ଼ିଆ ସାହିତ୍ୟ ବହିରୁ ସଂଗୃହୀତ, ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରଚିତ କବିତା “କିସା ଗୌତମୀ.. କହିଲେ କିସା ଗୌତମୀ, “ପ୍ରଭୁ ! ଭ୍ରମିଲି ଲକ୍ଷ ଘର..” ପଢ଼ନ୍ତୁ “ସ୍ମରଣିକା ଡଟ୍ ଇନ୍ (Smaranika.in)” ରେ ଓଡ଼ିଆରେ ।
Keywords: କିସା ଗୌତମୀ କହିଲେ କିସା ଗୌତମୀ ପ୍ରଭୁ ଭ୍ରମିଲି ଲକ୍ଷ ଘର ଲିରିକ୍ସ, କିସ୍ସା ଗୌତମୀ, Kisa Gautami Kahile Kisa Gautami Prabhu Bhramili Lakhya Ghara Lyrics, Kissa Gautami, ଓଡ଼ିଆ ସାହିତ୍ୟ ବହି ଗୀତ, ପାଠ୍ୟପୁସ୍ତକ କବିତା, ଓଡ଼ିଆ କବିତା, ବୈକୁଣ୍ଠନାଥ ପଟ୍ଟନାୟକ, Odia Sahitya Bahi Gita, Pathyapustaka Kabita, Odia Kabita, Baikunthanath Pattanayak, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସମ୍ବଲପୁରୀ ଭଷା ଓ ସସ୍କୃତି, ଆଦିବାସୀ ଭଷା ଓ ସସ୍କୃତି, ସ୍ମରଣିକା, ସ୍ମରଣିକା ଡଟ୍ ଇନ୍, ଦି ସ୍ମରଣିକା ବ୍ଲଗ୍, Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Sambalpuri Language and Culture, Adivasi Language and Culture, Smaranika, Smaranika.in, The Smaranika Blog,
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…