Select Page

== ଓଡ଼ିଆ ଲିରିକ୍ସ ==

ଗୀତ : ସୁନା ମୂଲ ସିନା..
ଭାଷା : ଓଡ଼ିଆ
ପୁସ୍ତକ : ଓଡ଼ିଆ ସାହିତ୍ୟ ବହି
ଗୀତିକାର : ଅନନ୍ତ ପଟ୍ଟନାୟକ

ସୁନା-ପ୍ରତିମାଟି ଫୁଲେଇ
       କହେ ଗରବେ ଛଳି,
“ମାଟି-ପ୍ରତିମା ଲୋ ଯିବୁ କି
       କେବେ ମୋ ତହୁଁ ବଳି ? ॥୧॥

ଯେତେ ପୁଟ ଲଗା ଦେହରେ
       ଯେତେ ହୁଅ ତୁ ମାଜି,
ତିଳେ ତୁ ଆଘାତ ପାଇଲେ
       ତଳେ ପଡ଼ିବୁ ଭାଜି ॥୨॥

ଟାଣ ସିନା ମୋର ତନୁଟି
       ମୁଁ ଯେ ଅମୂଲ ମୂଲ,
କେଉଁ ସୁଖ ଶିରୀ ଶରଧା
       କହ ! ମୋହରି ତୁଲ ? ॥୩॥

ରୂପ-ଗୁଣେ ସରିସମ ମୋ
       କିଏ, ଦେଖିଛୁ କାହିଁ ?
କିଏ ନ ଉଲୁସେ ନିମିଷେ
       ସୁନା ରତିଏ ପାଇ ! ॥୪॥

ମୋ ଲାଗି ଯେ ରାଜ-ଆସନ
       କେତେ ଶାସନ ଚଳେ,
ବଣିଜ ବେପାର ମୋ ଲାଗି
       ଧନ-ଦୀପାଳି ଜଳେ ॥୫॥

ନାହିଁ ମୋର ଜାତି ଅଜାତି
       ମୁହିଁ ସବୁରି ଜାଣ !
ଯାହା ହାତେ ଯେବେ ଥାଏ ଲୋ
       ମୁହିଁ ତାହାରି ପ୍ରାଣ ॥୬॥

ମୋ ଲାଗି କେତେ ଯେ ସମର
       ବୀର ଅମର ହୁଏ,
ଭିକାରୁଣୀ ରାଜ-ରାଣୀ ଗୋ
       ପାଟ-ଶେଯରେ ଶୁଏ ॥୭॥

ମତେ ଯିଏ ରଖେ ସାଇତି
       ସେ ତ ଜଗତେ ବଡ଼,
କାହିଁ ବା ଭୂଷଣ ମୋ ବିନୁ
       କାହିଁ ନଗର ଗଡ଼ ? ॥୮॥

ପାସୋରାଇ ଶୋକ ତାପ ମୁଁ
       କୋଟି ହୃଦୟ ହରେ,
ବରଷାଇ ଆଶା-ପିୟୁଷ
       ମନେ ଭରଷା ଭରେ ॥୯॥

ସବୁ ସୁଷମାର ରାଣୀ ମୁଁ
       ମୋର ଉପମା ନାହିଁ,
ଯୁଗ ଯୁଗ ଯାଏ କିଏ ଲୋ
       ମତେ ଲୋଡ଼ୁନି କାହିଁ ?” ॥୧୦॥

ହସି କହେ ମାଟି-ପ୍ରତିମା
       “ଏତେ ବଡ଼େଇ କିଆଁ ?
ତୋତେ ପରା ପୋଡ଼ି ପାଉଁଶ
       କରେ ବକଟେ ନିଆଁ ॥୧୧॥

ମୋ କୋଳେ ବଢ଼ି ତୁ ନିଲଠି !
       ମୋତେ ପାରୁନୁ ସହି !
ମୋହରି ଗରଭେ ତୁ ପରା
       ଥିଲୁ ଖଣିରେ ରହି ॥୧୨॥

କେତେ ହୀରା, ନୀଳା, ମାଣିକ
       ମୁହିଁ ଧରିଛି କୋଳେ,
ସେ ସବୁର ଜ୍ୟୋତି-ଝଲକ
       ତୁ କି ଦେଖିନୁ ଡୋଳେ ? ॥୧୩॥

ଭାଇ କି ଭଗାରି କରୁ ତୁ
       କରୁ ଆପଣା ପର,
ଅଭାବ-କଷଣେ ସଢ଼ାଇ
       କେତେ ଉଜାଡ଼ୁ ଘର ॥୧୪॥

ଯାହା ହାତେ ଥାଏ ଖଡ଼ଗ
       ତାର ହେଉ ଲୋ ବଶ,
କୋଟିକେ ଗୋଟିଏ ଧନୀର
       ତୁହି ଗରିମା ଯଶ ! ॥୧୫॥

କେଡ଼େ କୁଟିଳ ତୋର କରଣି
       ମାୟା-କୁହେଳି ସୃଜୁ !
ଭଳାଇ ଲୋ ଗୁଣୀ ଜନରେ
       ଜ୍ଞାନ-ସରଣୀ ବୁଜୁ ॥୧୬॥

କାହା ଦୁଃଖେ ନୋହୁଁ ଦୁଃଖିନୀ
       ନିଜେ ସୁଖେ ତୁ ଥାଉ,
ବଢା଼ଉ ଖସାଉ ଖୁସିରେ
       ଯେତେ ଦରବ ଭାଉ ! ॥୧୭॥

କୋଟିଏ ଆଖିରୁ ତୁହି ଲୋ
       ହସି ଓଟାରୁ ଲୁହ,
କେତେ ବୁକୁପରେ ବୁହାଉ
       ନିତି ରକତ-ସୁଅ ॥୧୮॥

ମୋହ ପରି ଲୁହ, ରକତ
       ଶୋଷି ସରଳ ମନେ,
ଫୁଲ ଫଳ କେବେ ତୋଷିବୁ
       କହ କାହାକୁ ଜଣେ ? ॥୧୯॥

ମଣିଷର ଲାଗି ମୂଲ ତୋ !
       ସେ ଯେ ମୋହରି ଧନ !
ତୋତେ କରିପାରେ ନିଉନ
       ଯେବେ କରିବ ମନ ॥୨୦॥

ଯେତେ ଟେକିହୁଅ ନିଜେ ତୁ
       ଦିନେ ଲୋଟିବୁ ତଳେ,
ତଳେ ମୋ ସବୁଜ ପଣତେ
       ଯହିଁ ମମତା ଝଳେ ॥୨୧॥

ମୁହିଁ ଯେ ନିଖିଳ ଜୀବନ
       ନୋହୁଁ କାହାରି ତୁହି !
ସୁନା ମୂଲ ସିନା ମାଟିରେ !
       ତୋର ମାଆଟି ମୁହିଁ !” ॥୨୨॥

ସୁନା ମୂଲ ସିନା :
ଓଡ଼ିଆ ସାହିତ୍ୟ ବହିରୁ ସଂଗୃହୀତ କବିତା “ସୁନା ମୂଲ ସିନା.. ହସି କହେ ମାଟି-ପ୍ରତିମା “ଏତେ ବଡ଼େଇ କିଆଁ ?.. ତୋତେ ପରା ପୋଡ଼ି ପାଉଁଶ କରେ ବକଟେ ନିଆଁ..” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍‌” ରେ ଓଡ଼ିଆରେ ।

Keywords: ସୁନା ମୂଲ ସିନା, ଓଡ଼ିଆ ସାହିତ୍ୟ ବହି ଗୀତ, ପାଠ୍ୟପୁସ୍ତକ କବିତା, ଅନନ୍ତ ନାରାୟଣ ପଟ୍ଟନାୟକ, ଓଡ଼ିଆ କବିତା, Suna Mula Sina, Ananta Narayana Pattanayak, Odia Sahitya Bahi Gita, Odia Textbook Song, Odia MIL Book Poem, Pathyapustaka Kabita, Odia Kabita, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସ୍ମରଣିକା, ସ୍ମରଣିକା ଡଟ୍‌ ଇନ୍, ଦି ସ୍ମରଣିକା ବ୍ଲଗ୍‌,‌ Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Smaranika, Smaranika.in, The Smaranika Blog,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…

error: Content is protected !!