Select Page

କାହାଣୀ : ମାଡ଼ହାଣ୍ଡି କଥା
ଭାଷା : ଓଡ଼ିଆ
ଲେଖକ : ଗୋପାଳ ଚନ୍ଦ୍ର ପ୍ରହରାଜ, ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପ୍ରଣେତା

ଏକ ଦେଶରେ ଜଣେ ଚକୁଳିଆ ପଣ୍ଡା ଥାଏ, ସେଇଟି ଭାରି ଗରିବ । ସେ ମାଆଟିଏ ପୁଅଟିଏ । ପୁଅ ନିତି ଭିକ ମାଗିଯାଏ, ଛଅ ଗାଆଁ ଗଲେ ସେରେ ଆଣେ, ନଅ ଗାଆଁ ଗଲେ ସେରେ ଆଣେ । ଇମିତିକା ମହାପ୍ରଭୁଙ୍କ ମାୟା ତ, ଦିନେ ସେ ଚକୁଳିଆ ପଣ୍ଡା କେତେଆଡ଼ ବୁଲିଲା ଯେ, ସେରକ କଥା ତେଣିକି ଥାଉ, ତାକୁ ପୋଷେ ଚାଉଳ ସୁଦ୍ଧା ଭିକ ମିଳିଲା ନାହିଁ । ଲୋକେ ଭିକ ଦେବେ କଅଣ, ବେଳକୁ ତାକୁ ଗାଁ ପିଲାଏସବୁ ଟେକାବୋଲୁଅ ଲଦି ମାଡ଼ମାରି ତଡ଼ି ଦେଲେ । ପଛକୁ ଚକୁଳିଆ ପଣ୍ଡା ବିଚରାଟି କାନ୍ଦିବୋବେଇ ପଳେଇ ଆଇଲା । ଶୋଧ୍ ପଶ୍ଚିମଆଡ଼କୁ ଗଲା, ବିଚାରିଲା, ଆଉ ଏ ନିର୍ଲଜ ମୁହଁ ଦେଖେଇବାକୁ ଘରକୁ ଯିବି ନାହିଁ । ୟା ବିଚାରି ଚୋରକୁ ମାନକରି ଖପରାରେ ଖାଇଲା ଭଳିଆ କାନ୍ଧରେ ତୁଚ୍ଛା ଯାଉଁଳିଟିଏ ପକେଇ ଯାଉଥାଏ । ଯାଇଯାଇ ଖଣ୍ଡେ ଦୂରରେ ଦେଖିଲାବେଳକୁ ଗୋଟିଏ ଉତ୍ତମ ସୁନ୍ଦର ପଦ୍ମପୋଖରୀ । ସେଥିରେ କଳାଭଅଁର ଭଳି ପାଣି । ପୋଖରୀ ଚାରିପାଖଯାକ ଶଙ୍ଖମଲମଲ ପଥରରେ ପାହାଚ ବସିଛି । ୟାର ତ ସେତେବେଳେ ଭୋକଶୋଷରେ କରଡ଼ି ଜଳୁଥାଏ । ଏ କଅଣ କରିବ ! ତାକୁ ଆଉ ବୁଦ୍ଧିବାଟ ଦିଶୁ ନଥାଏ । ଏ ପାଣିକି ଦେଖିଲାକ୍ଷଣି ୟା ମନରେ ଭାରି ଲୋଭ ହେଲା । ଜୀବନ ବିକଳରେ ପାଣିକୂଳ ପାହାଚ ଉପରେ ଲଥକିନି ବସିଗଲା । ଦେଖିଲା ସେ କାଚକେନ୍ଦୁ ଭଳିଆ ପାଣିମୁନ୍ଦିକ ହୋଇଛି, ସାତତାଳ ପାଣିରେ ରୁପାପାତିଆ ଟିକିଏ ପକେଇଦେଲେ ଉପରକୁ ଫୁଟି ଜକଜକ ଦିଶିବ ।

ଚକୁଳିଆ ପଣ୍ଡା ସେ ପାଣିରୁ ଚଳଚଳ କରି ତା' ଡାହଣ ହାତରେ ଧରୁଥାଏ, ଏଣେ ମନକୁ ବାଆଁରେଇବା ପାଇଁ ମୁହଁରେ ମୁହଁରେ କହି ହଉଥାଏ, – ଭାତ ଖାଉଁ, ଡାଲି ଖାଉଁ, ଦୁଧ ଖାଉଁ, ମହୁର ଖାଉଁ, ଆମ୍ବିଳ ଖାଉଁ, ଖିରି ଖାଉଁ, କାକରା ଖାଉଁ, ନାନମାନ ଖାଉଁ, ପୋଟଳି ଚକୁଳି ଖାଉଁ । ଏମିତି ଗୋଟିଏ ଦରବ ନାଁ ଧରୁଥାଏ, ଚଳେ ଲେଖାଏଁ  ପାଣି ପିଉଥାଏ । ସେ ପୋଖରୀରେ ଗଙ୍ଗା ମାତା ଥାଆନ୍ତି । ଚକୁଳିଆ ପଣ୍ଡାର ଡାକ ତାଙ୍କ କାନକୁ ବାଜିଲା । ଗଙ୍ଗାମାତା ତ ଉଡ଼ିଗଲା ଚଢ଼େଇର ପେଟକଥା ଜାଣିପାରନ୍ତି । ସେ ତ କାହା ବିକଳ ସହି ପାରନ୍ତି ନାହିଁ ! ୟା ଡାକ ଶୁଣି ମନେମନେ ବିଚାରିଲେ, ଏ ଚକୁଳିଆ ପଣ୍ଡାଟି ସିନା ଭୋକ ବିକଳରେ ଇମିତି ହଉଚି । ଦେବତାଙ୍କୁ ଅବା କେଉଁ ଦରବ ଅପୂରୁବ ! ସେ କଅଣ କଲେ ନା, ଚକୁଳିଆ ପଣ୍ଡା ଯେତେକ ଦରବ ନାଆଁ ଧରି ଚୋଳାଏ ଚୋଳାଏ ପାଣି ପିଉଥାଏ, ସେତେକ ବାରଜବାରଜ କରି ଦନାଟି ମାନଙ୍କରେ ଭରାଭର କରି ଗୋଟିଏ ହାଣ୍ଡିରେ ସଜାଡ଼ିଲେ, ହାଣ୍ଡି ଉପରକୁ ତେଲୁଣିଟିଏ କଣ୍ଟିକାଣ୍ଟି କରି ଘୋଡ଼େଇ ଦେଲେ, ଏ ଚକୁଳିଆ ପଣ୍ଡାଟି ଯେଉଁଠେଇଁ ବସିଥିଲା, ସେଇଠେଇଁକି ତୁନି କରି ଭସେଇ ଦେଲେ । ହାଣ୍ଡି ଭାସିଭାସିକା ୟା ପାଖରେ ଆସି ଲାଗିଗଲା । ଚକୁଳିଆ ପଣ୍ଡା ଏ ହାଣ୍ଡିକି ଦେଖି ଭାରି ଆଚମ୍ବିତ ହେଲା ! ଏଥେରେ କଅଣ ଅଛି ଦେଖେଁ ! ୟା ବିଚାରି ସେ ତେଲୁଣିଟିକି କାଢ଼ିଦେଲା ବେଳକୁ ତା' ଭିତରେ ଦିବ୍ୟ ସରୁ ଘିଅ ଅନ୍ନ, ଡାଲି, ମହୁର, ଆମ୍ବିଳ, ଖିରି, ପିଠା ଭଳିକି ଭଳି ଖଞ୍ଜା ହୋଇଛି । ସେଥିରୁ ସବୁ ବାମ୍ଫ ବାହାରୁଛି । ୟା ଦେଖି ଆନନ୍ଦରେ ତାକୁ ଆଉ ବୁଦ୍ଧିବାଟ ଦିଶୁ ନଥାଏ । ସେ ହାଣ୍ଡିକି ପାହାଚ ଉପରକୁ ଉଠେଇ ଆଣିଲା, ତାକୁ ତ ଭାରି ଭୋକ କରୁଥାଏ । ସେ ହାଣ୍ଡିରୁ ପଦାର୍ଥଯାକ କାଢ଼ି ପେଟପୂରା କରି ଖାଇଲା । ଜଣେ ମଣିଷ ତ, କେତେ ଇମିତି ଖାଇବ ! ଯେତେକ ଖାଇବାର ଖାଇଲା, ଦେଖିଲା ବେଳକୁ ସେ ପଦାର୍ଥରୁ କଣେ ସୁଦ୍ଧା ସରି ନଥାଏ । ଯେତେକ ବଳିଲା, ସେତକ ଗୋଟିଆଗୋଟି କରି ସେ ହାଣ୍ଡିରେ ପୁରେଇଲା । କହିଲା, ୟାକୁ ମୁଁ ଘରକୁ ନେବି ଯେ ମୋ ମାଆ ଖାଇବ, ବାକି ଯାହା ବଳିବ ଫେର୍‌ ଦୋଓଡ଼ା ଖାଇବି । 

ଖାଲି ହାତରେ ସିନା ଘରକୁ ଫେରିବ ନାହିଁ ବୋଲି ରୁଷି କରି ଘରୁ ବାହାରି ଯାଉଥିଲା । ବର୍ତ୍ତମାନ ଏତକ ଯେମିତି ହାତରେ ପଡ଼ିଲା ସେମିତି ୟା ମନ କୁଣ୍ଢେମୋଟ ହୋଇଗଲା । ହାଣ୍ଡିଟିକି ମୁଣ୍ଡେଇ ଲମ୍ବେ ଲମ୍ବେ ଘରକୁ ମୋହିଁଲା । ଘରେ ପହଞ୍ଚିଲା ବେଳକୁ ମାଆ ଯାଇଥାଏ ଗାଆଁ ଭିତରକୁ ଦୁଃଖ କରିବାକୁ । ୟେ ସେ ହାଣ୍ଡିଟିକି ହାଣ୍ଡିଶାଳ ଶିକା ଉପରେ ସାଇତି ଦେଲା, ଘରେ ଖଣ୍ଡେ ମସିଣା ପାରି ଶୋଇଲା । ମାଆ ଗାଆଁରୁ ଦୁଃଖଧନ୍ଦା କରି ପୋଷେ ଖୁଦ ପଣତ କାନିରେ ବାନ୍ଧି ଘରେ ଆସି ପହଞ୍ଚି ଦେଖେ ତ ପୁଅର ପେଟ ଟୁମାଟୁମ୍‌ ଦିଶୁଚି, ପୁଅ ଅଚିନ୍ତା ନିଦରେ ଘୁଙ୍ଗୁଡ଼ି ମାରୁଛି, ହାଣ୍ଡିଶାଳ କବାଟ ଫିଟେଇ ଦେଖିଲା ବେଳକୁ ଶିକା ଉପରେ ହାଣ୍ଡିଟିଏ । ହାଣ୍ଡିଟିକି ଓହ୍ଲେଇ ପଲମ କାଢ଼ି ଦେଖେ ତ ହାଣ୍ଡି ଭିତରେ ଦିବ୍ୟ ସୁବାସ ଘିଅ ଅନ୍ନ, ଛଅ ତିଅଣ, ନଅ ଭଜା, ଖିରି ପିଠା ଭରାଭର । ବୁଢ଼ୀ ତ ଭୋକରେ ଡହଳବିକଳ ହଉଥିଲା, ତାକୁ ଏବେ କୋଟିନିଧି ମିଳିଗଲା । ସେ ଆଉ ପୁଅକୁ ଉଠେଇବ କଅଣ ! ବାଡି଼କୁ ଯାଇ ବେଏଁ ଲମ୍ବର ଖଣ୍ଡେ କଦଳୀପତର କାଟି ଆଣିଲା, ହାଣ୍ଡିରୁ ଗୋଟିଗୋଟି କରି ସବୁ ପଦାର୍ଥ କାଢ଼ିଲା, ଯେତେକ ମନଇଚ୍ଛା କରି ଖାଇଲା, ଆଉ ଯାହା ବଳିଲା ତାକୁ ହାଣ୍ଡିରେ ପୂରେଇ ଶିକାରେ ରଖିଦେଲା । ପୁଅ ଶୋଇଥିଲା, ଉଠି ମାଆକୁ ସବୁ କଥା କହିଲା । ଫେର୍ ଉପର ଓଳି ହାଣ୍ଡିରେ ଯାହା ଥିଲା ମାଆ ପୁଅ ଖାଇ ଅଠିଲ୍ ହୋଇଗଲେ ।

ରାତିରେ ଶୋଇଲା ବେଳେ ବୁଢ଼ୀ ପୁଅକୁ ବୁଦ୍ଧି ବତେଇ ଦେଲା, ଆରେ ପୁତ, ଏତେ ମିହନ୍ତ କରି ଛଅ ଗାଁ ନଅ ଗାଁ ବୁଲିବୁ କିଆଁ ! କାଲି ସକାଳୁ ଫେରଯାଇ ପୋଖରୀ କୂଳରେ ବସ, ଦେଖିବା ଦେଖି କଅଣ ହଉଚି ! ମାଆ ପୁଅ ୟା ବିଚରାବିଚାରି ହୋଇ ଶୋଇଲେ । ସକାଳୁ ଚକୁଳିଆ ପଣ୍ଡା ତ’ କାଲିର ସୁଆଦ ପାଇଛି ନା ସକାଳୁ ଉଠି ଧାଇଁଛି’ – ବଡ଼ି ଝପଟିରୁ ଉଠି, ଗାଧୋଇ, ଚିତା ଚଇତନ କାଟି ସିଧାଏସିଧାଏ ଯାଇ ଏକଦମ୍ ପଦ୍ମପୋଖରୀ କୂଳରେ ହାଜର । ଫେର୍ କାଲି ଯିମିତି ଭାତ ଖାଉଁ, ଡାଲି ଖାଉଁ, ତିଅଣ ଖାଉଁ କରୁଥିଲା ଆଜି ସିମିତି ଚଳଚଳ କରି ପାଣି ପିଉଥାଏ, ଏଣେ ସିମିତି କହୁଥାଏ । ସତକୁ ସତ, କାଲି ପରିକା ହାଣ୍ଡିଟିଏ ଭାସି ଆସି ତା’ ପାଖରେ ଲାଗିଲା । ସେ ଆପେ ଯାହା ଖାଇବାର ଖାଇଲା, ବାକି ଯାହା ବଳିଲା ସେତକ ଘରକୁ ଆଣି ଶିକା ଉପରେ ରଖିଦେଲା । ମାଆ ଗାଆଁରୁ ବୁଲିବାଲି ଆସି ଖାଇଲା । ଫେର୍‌ ରାତିକି ମାଆ ପୁଅ ଦିହେଁ ଢୋଲେ ଲେଖାଏଁ ଖାଇଲେ । ଏମିତି ନିତି ପୁଅ ହାଣ୍ଡିଟିମାନ ଆଣେ, ମାଆ ପୁଅ ଦିହେଁ ସେତେକ ଖାଇପିଇ ଖାଲି ହାକୁଟିମାରି ଗଡ଼ଗଡ଼ଉ ଥାଆନ୍ତି । ପୁଅତ ଦେଖିଲା ଯେ, ନିତି ଫୋକଟରେ ତାକୁ ଦିବ୍ୟ ସୁନ୍ଦର ଜୋଇଁ ଭୋଜନ ମିଳିଲା, ମାଆ ଦେଖିଲା ଯେ, ବସିଲା ଠେଇଁ ତ ତାକୁ ଆଧାର ମିଳିଲା… ପୁଅ ଆଉ ଭିକମାଗି ଗଲା ନାହିଁ, ମାଆ ବି ଦୁଃଖଧନ୍ଦା କରିବାକୁ ଗଲା ନାହିଁ, କି କୁଟା ଖଣ୍ଡକ ଦି ଖଣ୍ଡ କଲା ନାହିଁ । ଇମିତି ମାଆ ପୁଅଙ୍କ ମୁହଁ ତ ମାଗଣା ଭାତରେ ଲାଗି ଯାଇଥାଏ ।

ଏଣେ ଗଙ୍ଗାମାତା ବିଚାର କଲେ ଯେ, ଏ ମାଆ ପୁଅ ତ ନିଖଟୁ ହୋଇ ବସିଲେ, କିଛି କାମ କଲେ ନାହିଁ, ୟାଙ୍କ ଦେଖାଦେଖି ସଂସାରଯାକ ସମସ୍ତେ ତ କର୍ମକୋଢ଼ିଆ ହୋଇଯିବେ, ଆଉ ଦୁଃଖଧନ୍ଦାକୁ ତ କେହି ଆଦରିବେ ନାହିଁ, ୟାଙ୍କ ମୁହଁ ନ ଭାଙ୍ଗିଦେଲେ ହବ ନାହିଁ । ଏଇତା ପାଞ୍ଚି ଗଙ୍ଗାମାତା କୂଟଟିଏ ଭେଇଲେ । ଦିନକର କ’ଣ ହୋଇଛି ନା ଚକୁଳିଆ ପଣ୍ଡା ନିତି ଯେମିତି ଯାଏ, ସେ ଦିନ ବଡ଼ି ସକାଳୁ ଉଠି ସ୍ନାହାନପ୍ରକାର କରି ସେ ପଦ୍ମପୋଖରୀକି ଗଲା, ପାହାଚରେ ବସି ଯିମିତି ନିତି କରେ ସିମିତି ସେଦିନ କଲା । ପାଣି ଚଳଚଳ ପିଉଥାଏ, ଏଣେ ମିଛରେ ମିଛରେ କହି ହେଉଥାଏ, ଭାତ ଖାଉଁ, ହାପୁ ଖାଉଁ, ତିଅଣ ଖାଉଁ, ସାକର ଖାଉଁ, ଖେଚେଡ଼ି ଖାଉଁ, ଇଣ୍ଡୁରି ଖାଉଁ ଇମିତି କହୁଥାଏ । ମନେମନେ ବିଚାର କରୁଥାଏ, ନିତି ଯିମିତି ହାଣ୍ଡିଟିଏ ଭାସି ଆସେ, ସିମିତି ଭାସିଆସି ଆଜି ମୋ ପାଖରେ ଲାଗିଯିବ ଯେ, ମୁଁ ସୁନାପୁଅ ଭଳିଆ ତାକୁ ନେଇ ମାଆ ପୁଅ ଦିହେଁ ଖାଇ ହେଣ୍ଡି ମାରି ବୁଲୁଥିବୁଁ । ଗଙ୍ଗାମାତା ବିଚାରିଲେ ଦେଖ, ୟାର କେଡ଼େ କଥା ! ମୁଁ ୟା ବିକଳ ସହି ନପାରି ୟାକୁ ଖାଇବାକୁ ଦେଲି ବୋଲି ମାଆ ପୁଅ ଦିହେଁ ଇନ୍ଦ୍ରଚନ୍ଦ୍ର ମାନିବାକୁ ନାହାନ୍ତି ? ଦିହେଁକୁ ଦିହେଁ ଗଣ୍ଡିଟିମାନ ବାହାର କରି ବୁଲୁଛନ୍ତି । ଆଜି ପୁଳାଟାଏ ଆଚ୍ଛାକରି ନ ଦେଲେ ଇୟେ ଚେତିବେ ନାହିଁ । ଗଙ୍ଗାମାତା ତ ସହଜେ ଦେବତା, ତାଙ୍କୁ ଅବା କେଉଁ କଥା ଉବାର ଅଛି ! ୟା ବିଚାରି ରାଗ ତମତମ ହୋଇ ହାଣ୍ଡିଟି ଭିତରେ ଗୁଡ଼ିଏ ବିଧା, ଚାପୁଡ଼ା, କହୁଣୀ, ଗୋଇଠା, ଚିମୁଟା, ରାମ୍ପୁଡ଼ା, କାମୁଡ଼ା ଇମିତି ଯେତେକ ମାଡ଼ ଏ ସଂସାରରେ ଅଛି, ସବୁ ପୂରେଇଲେ । ହାଣ୍ଡି ଉପରେ ତେଲୁଣିଟି କଣ୍ଟିକାଣ୍ଟି କରି ନିବୁଜକରି ଘୋଡ଼େଇ ଦେଲେ ଓ ଚକୁଳିଆ ପଣ୍ଡା ପାଖକୁ ଭସେଇ ଦେଲେ । ହାଣ୍ଡିଟି ଭାସିଭାସିକା ଆସି ୟା ପାଖରେ ଲାଗିଲା ।

ୟେ ତ ମନେମନେ ମିଠେଇ ଖାଇ ବସିଛି । ହାଣ୍ଡିଟିକି ଉପରକୁ ଟେକି ନେଇ ତେଲୁଣିଟିକି କାଢ଼ିଦେଲା ବେଳକୁ ହେଲା ତ ତା’ ଉପରେ ମାଡ଼ ବୃଷ୍ଟି । ତୁଚ୍ଛା ଚାପୁଡ଼ା ଉପରେ ଚାପୁଡ଼ା, ବିଧା ଉପରେ ବିଧା, ତା’ ଉପରେ ଗୋଇଠା, ତା’ ପଛକୁ ରାମ୍ପୁଡ଼ା, ଏମିତି ଖାଲି ତା’ ଅଷ୍ଟାଙ୍ଗ ଶରୀରଯାକ ଦୁମ୍‌ଦାମ୍‌ ଭୁଷ୍‌ଭାଷ୍‌ ଲଦି ହୋଇଯାଉଥାଏ । ଚଟକଣା ଖାଇ ଗାଲକୁ ଆଉଁଶି ପକେଇଲା ବେଳକୁ ପିଠିରେ ଦୁଲୁ କରି ଗୋଟାକେତେ ବିଧା ବସୁଥାଏ । ଡହଳବିକଳ ହୋଇ ପିଠି ଆଉଁଶିଲା ବେଳକୁ ଖୁଆମୁଣ୍ଡିରେ ଦି’ ଗୋଇଠା । ବେଳକୁବେଳ ସମୁଦ୍ର ଜୁଆର ମାଡ଼ି ଆଇଲା ଭଳିଆ ମାଡ଼ରେ କୁଆଛୁଆ ଉଡ଼ିଗଲା । ୟାକୁ ସେତେବେଳକୁ ଗୋଟାଏ ବୁଦ୍ଧି ପଇଟିଗଲା । ଏ କ’ଣ କଲା । ଝଟପଟ ଜୀବନ ବିକଳରେ ଏ ହାଣ୍ଡି ଉପରେ ତେଲୁଣିଟାକୁ ଘୋଡ଼େଇ ପକେଇଲା । ଯିମିତି ଘୋଡ଼େଇ ପକେଇଛି ସିମିତି କିଏ ରାଣ ଦେଲା ଭଳିଆ ଏ ମାଡ଼ ବୃଷ୍ଟି ଥମ୍ବିଗଲା । ଏ ଟିକିଏ ନିଃଶ୍ଵାସ ମାଇଲା । ସେତେବେଳକୁ ୟା ଦିହ ହାତ ମାଡ଼ରେ ଗଡ଼ ଭଳିଆ ଫୁଲିଗଲାଣି । ଏ ରାଗରେ କମ୍ପମାନ ହଉଥାଏ । କିଏ ମାଇଲା ବୋଲି ଦେଖିଛି ଯେ, କାହା ଉପରେ ଦାଉ ସାଧିବ ! “ଶାଶୁ ମାରୁଥାଏ ବୋହୂକୁ, ବୋହୂ ଛାର କାହାକୁ ମାରିବ, ମାରୁଥାଏ ଚୁଲି ମୁହଁକୁ” । ସିମିତି ଚକୁଳିଆ ପଣ୍ଡା ତା’ ମା’ ଉପରେ ରାଗରେ ଜରଜର ହଉଥାଏ, ତା’ ମନକଥା ମନରେ ଥାଏ, ସେ ହାଣ୍ଡିଟିକି ଉଠେଇ ଘରକୁ ଚାଲିଲା । ନିତି ଯିମିତି ନେଇ ଶିକା ଉପରେ ଥୋଇଦିଏ, ସିମିତି ହାଣ୍ଡିଟିକି ଶିକା ଉପରେ ରଖିଦେଲା, ଭିକ ମାଗିବାକୁ ଗଲା ବାହାରି ।

Madahandi Katha Chakulia Panda Galpa Gopala Chandra Praharaj Image Slide2

ତା’ ମାଆ ତ ଘରେ ନଥାଏ । ଏବେ ତ ପୁଅ ହାଣ୍ଡି ଆଣିଲା ଦିନଠଉଁ ମାଆ ଜମା ଦୁଃଖ ଧନ୍ଦା କରିବାକୁ ନାହିଁ । ଗାଆଁ ଯାକ ଅଷ୍ଟଦଣ୍ଡ ପାଟ ଭଳିଆ ଦାଣ୍ଡି ମରୁଥାଏ । ଘରକୁ ଆସି ଶିକାରୁ ହାଣ୍ଡି କାଢ଼ି ଭୋଜନ ମାରୁଥାଏ । ଆଜି ଆସି ଦେଖିଲା ବେଳକୁ ପୁଅ ଘରେ ନାହିଁ, ଘର ଭିତରକୁ ପଶି ଚାହିଁଲା ବେଳକୁ ଶିକାରେ ହାଣ୍ଡିଟି ନିତି ଭଳିଆ ଥୁଆ ହୋଇଛି । ସେ ତ ମାଇପି ଲୋକ, ଏତେ ଛନ୍ଦମନ୍ଦ ଅବା କାହୁଁ ଜାଣିବ ! ହାଣ୍ଡିଟିକି ଶିକାରୁ ଥିରିକରି ଓହ୍ଲେଇ ଆଣି ଯିମିତି ତେଲୁଣିଟିକି ସେ ହାଣ୍ଡି ମୁହଁରୁ କାଢ଼ିଛି ଆଉ ବୁଢ଼ୀ ଯାଏ କୁଆଡେ଼ ! ହେଲା ତ ମାଡ଼ ଉପରେ କୁଆପଥର ଛେଚିଲା ଭଳିଆ ମାଡ଼ । ଦୁଲ୍‌ ଦାଲ୍‌ ଗୋଟା ଉପରେ ଗୋଟେ ବାଜି ଯାଉଥାଏ । ଇଲୋ ବାପ ଲୋ, ମରିଗଲି ଲୋ, ହେଲାବେଳକୁ ପିଠିରେ ଫେର୍‌ ଦିଇଟା ବସୁଥାଏ । ଆଲୋ ମାଆ ଲୋ, ମରିଗଲି ହେଲା ବେଳକୁ କଙ୍କାଳ ବାହିରେ ପୁଣି ପଞ୍ଜାଏ ବସି ଯାଉଥାଏ । ଏତେ ଶୂନ୍ୟ ଶବଦ ହଉଥାଏ, କେତେ ଖାଇବୁ ଖାଆ, ଖାଆ ଖିରି ବୋଲି ବିଧାଏ, ଖାଆ ପିଠା ବୋଲି ଗୋଇଠେ, ଖାଆ ମହୁର ବୋଲି ବ୍ରହ୍ମ ଚାପୁଡ଼ାଏ । ବୁଢ଼ୀ ବିକଳରେ ଦିହ ହାତ ଆଉଁଶି ପକଉଥାଏ, ଛଟପଟ ହୋଇ ଗଡ଼ି ଯାଉଥାଏ । ପଛକୁ ବୁଢ଼ୀକି ଗୋଟାଏ ବୁଦ୍ଧି ଦିଶିଲା । ବୁଢ଼ୀ ଉଠିପଡ଼ି ସେ ପଲମଟାକୁ ହାଣ୍ଡି ଉପରେ ଉଗୁଡ଼େଇ ପକେଇଲା । ହାଣ୍ଡି ଉପରେ ଢାଙ୍କୁଣି ପଡ଼ିଗଲାରୁ ବୁଢ଼ୀ ଉପରେ ମାଡ଼ ଅସରା ବନ୍ଦ ହୋଇଗଲା । ବୁଢ଼ୀ ଟିକିଏ ନିଃଶ୍ୱାସ ମାଇଲା, କହିଲା ଓହୋ ଆଜି ସକାଳୁ ଉଠି କାହା ମୁହଁ ଚାହିଁଥିଲି । ଆଜି ପରା ଦିନେ ମାଡ଼ ଖାଇଲି । ୟା ବିଚାରି ସେ ହାଣ୍ଡିକି ନେଇ ତା’ ବାଡ଼ିଆଡ଼ ଖତକୁଢ଼ ଗଦାରେ ଲଅଥକିନି ରଖିଦେଲା, ବାଡ଼ି କବାଟ କିଳି ଦେଇ ଘରେ ଆସି ମୁହଁ ମାଡ଼ିକରି ଶୋଇଲା । ହାଣ୍ଡିଟି ଉପରେ ପଲମ ଘୋଡ଼ିଆ ହୋଇଥାଏ । ସେଦିନ ଦଇବ ଯୋଗକୁ ରାତି ଅଧ ହେଲାଣି, ଗାଆଁଯାକ ସମସ୍ତେ ଖାଇ ପିଇ ନିର୍ଜନ ହୋଇ ଶୋଇଲେଣି, ପଞ୍ଝାଏ ଚୋର କେଉଁ ଗାଆଁରୁ ସିନ୍ଦୁକଟାଏ ଚୋରେଇ ଆଣି ବାଣ୍ଟ କରିବେ ବୋଲି ବୁଢ଼ୀ–ବାରିଦୁଆରେ ଆସି ବସିଲେ । ତାଙ୍କ ଭିତରେ ଭାଗ ବାଣ୍ଟ ବିଚାର ଲାଗିଛି ।

Madahandi Katha Chakulia Panda Galpa Gopala Chandra Praharaj Image Slide3

ଏହି ସମୟରେ ଜଣେ ଚୋରର ଆଖି ଏ ହାଣ୍ଡିଟି ଉପରେ ପଡ଼ିଲା । ସେ ବିଚାରିଲା ୟା ଭିତରେ କ’ଣ ଅଛି– ଦେଖନ୍ତେଇ । ୟା ବିଚାରି ସେ ହାଣ୍ଡିଟି ଖତଗଦାରୁ ଉଠେଇଆଣି ସବୁ ଚୋରଙ୍କ ମଝିରେ ଥୋଇଦେଲା । ଯିମିତି ସେ ପଲମଟିକି କାଢ଼ି ଦେଇଛି, ଆଉ ଏ ଚୋର ପଞ୍ଝାକ ଯିବେ କୋଉ ଗାଆଁକୁ ! ହେଲା ତ ସମସ୍ତଙ୍କ ଉପରେ ମାଡ଼ । ତୁଚ୍ଛା ମାଡ଼, ଖାଲି ମାଡ଼, ଫେର ଗୋଗୋଛିବାଡ଼ିଆ ମାଡ଼, ମାଡ଼ରେ ଗୋରୁ ଚରିଗଲେ । ଏ ଚୋରଯାକ ଟଙ୍କାଟୋକର ବାଣ୍ଟିବେ କଅଣ ! ମାଡ଼ରେ କଲେଇବଲେଇ ହୋଇ କିଏ କୁଆଡ଼େ ଛାଟିପିଟି ହୋଇ ପଳେଇଗଲେ, ‘ବାଉ ଲୋ ! ବାଉ ଲୋ !’ ହୋଇ ପଳାଉଥା’ନ୍ତି । ତାଙ୍କ ପଛେ ପଛେ ମାଡ଼ଯାକ ଗୋଡ଼େଇ ଗୋଡ଼େଇ ତୁଚ୍ଛା ଖୋବି ପକାଉଥାଆନ୍ତି । ମାଡ଼ରେ ଧୂଳା ଉଡି଼ଯାଉଥାଏ । ଯେଉଁ ଚୋର ଗୋଟାକେତେ ପୂରୁବ ଆଡ଼କୁ ପଳେଇଲେ, ତାଙ୍କୁ ଚାପୁଡ଼ାଯାକ ଗୋଡ଼େଇ ଗୋଡ଼େଇ ଗଲେ । ଯେ ପଛିମକୁ ପଳେଇଲେ, ତାଙ୍କ ସାଙ୍ଗରେ ବିଧାଯାକ ଗୋଡ଼େଇ ଗୋଡ଼େଇକା ଗଲେ, ଯେ ଉତ୍ତରକୁ ଗଲେ ତାଙ୍କୁ ଗୋଇଠାଯାକ ଗୋଡ଼େଇଲେ, ଯେ ଦକ୍ଷିଣକୁ ଗଲେ ତାଙ୍କ ସଙ୍ଗରେ ମୁଖୀଯାକ ଗଲେ । ଇମିତି ଇମିତି ବୁଢ଼ୀ ବାଡ଼ିଆଡୁ ଘଡ଼ିକରେ ମାଡ଼ ଆଉ ଚୋରାଯାକ ଗଲେ, ଏଣେ ବୁଢ଼ୀତ ମାଡ଼ ଖାଇକରି ତା’ ଅଷ୍ଟାଙ୍ଗ ଶରୀର ପରାସ ହୋଇ ବଥଉଥାଏ, ତାକୁ ଆଉ ରାତିଯାକ ନିଦ ମାଡ଼ିବାକୁ ନାହିଁ, ସେ ଘର ଭିତରେ କତରାରେ ପଡ଼ି ଏକଡ଼ ସେକଡ଼ ହେଉଥାଏ । ବୁଢ଼ୀ ଘର ଭିତରେ ଥାଇ ଗାଲିପଡ଼ି ଏସବୁ ବାରିଆଡ଼ର ରବାୟାଯାକ ଶୁଣୁଥାଏ ।

ଯିମିତି ଏ ଚୋରଯାକ ପଳେଇଲେ ବୁଢ଼ୀ ଉଠି କରି ବାଡ଼ି କବାଟକୁ ଧୁଡୁକିନି ଫିଟେଇଲା, ଦେଖିଲା ବେଳକୁ ତା’ ବାଡ଼ି ପନ୍ଦାଡ଼ରେ ସିନ୍ଦୁକଟିଏ ଥୁଆ ହୋଇଛି ! ବୁଢ଼ୀ ସେ ସିନ୍ଦୁକ ପାଖକୁ ଯାଇ ଥିରକିନା ସେ ସିନ୍ଦୁକ କବାଟକୁ ଟେକୁଥାଏ, କାଳେ ହାଣ୍ଡିରୁ ମାଡ଼ ବାହାରିଲା ଭଳିଆ ସେ ସିନ୍ଦୁକରୁ ନା ପୁଣି କିଛି ବାହାରେ ! ପଛକୁ ଦେଖିଲା ଯେ, ସେ ସିନ୍ଦୁକ ଭିତରୁ ଆଉ କିଛି ସୋରସାର ହେଲାନାହିଁ । ସେଥିରୁ ସିନ୍ଦୁକକୁ ମେଲା କରି ଦେଖିଲା ବେଳକୁ ତା’ ଭିତରେ ହୀରା, ନୀଳା, ମୋତି, ମାଣିକ, ମହୁଡ଼, ଅସରପି, ଗହଣାଗାଣ୍ଠି, ଟଙ୍କାଟୋକର ସିନ୍ଦୁକେ ଭରତି ହୋଇଛି । ୟା ଦେଖି ବୁଢ଼ୀର ମାଡ଼ଦରଜ କୁଆଡ଼େ ଉଭେଇଗଲା । ବୁଢ଼ୀ ତ ଏକୁଟିଆ ସେ ସିନ୍ଦୁକ ଟେକି ପାରିବ ନାହିଁ । ଘରୁ ପାଚିଆଟିଏ ଆଣି ପାଚିଆ ପାଚିଆ କରି ପୁଳି ପୁଳି କରି ନଇଁ ନଇଁ କରି ସିନ୍ଦୁକରୁ ଧନ ଦରବତକ ରାତିକାରାତି ବୋହି ଲାଗିଲା । ରାତି ଜାଙ୍ଗୁଲୁ ଜାଙ୍ଗୁଲୁ ହଉଚି, ପୁଅ ଆସି ପହଞ୍ଚିଲା । ମାଆ ପୁଅ ଆଉ କାଲିର ମାଡ଼କଥା କ’ଣ କଥାଭାଷା ହେବେ କି ? ପୁଅକୁ ମାଆ ଏ ଧନ ଦଉଲତତକ ଦେଖେଇଲା । ମାଆ ପୁଅ ଦିହେଁ ଟେକାଟେକି କରି ସିନ୍ଦୁକକୁ ଘର ଭିତରକୁ ଆଣିଲେ । ତହିଁ ଆର ଦିନ ସକାଳୁ ସେ ଅସରପିତକ ମାପିବେ ବୋଲି ବୁଢ଼ୀ ଆସି ଆମ ଘରୁ ଆମ ଛଅ ସୋରିଆ ଗଉଣୀଟି ମାଗି ନେଇଥିଲା ଯେ, ମୁଁ ମନେ ମନେ ପାଞ୍ଚିଲି, ୟାଙ୍କରତ ଅଇର ଖପରା ବଇରି ବା, ୟେ କଅଣ ମାପିଵାକୁ ଗଉଣୀ ନେଲେ ମ ? ୟା ଵିଚାରି ଦିହରୁ ବୁଦ୍ଧି କାଢ଼ି ଆମ ଗଉଣୀ ପେଟରେ ଟିକିଏ ମହୁସିଠା ମାଡ଼ି ଦେଇଥିଲି ଯେ, ବୁଢ଼ୀ ଆମ ଗଉଣୀ ଫେରେଇ ଦେଲାବେଳକୁ ଦେଖେଁ ତ ଗଉଣୀ ପେଟରେ ବନହଳଦୀ ଭଳି ଅସଲ ଜଇପୁରୀ ମଉଡ଼ଟିଏ ଲାଗିଛି । ମୁଁ ତାକୁ ନେଇ ଆମ ଗୁରୁଵାର ମାଣ ଦିହରେ ରଖୁଦେଲି । ଚକୁଳିଆପଣ୍ଡା ଘରକୁ ବାଆଁରା ବାଆଁରି ହେଇ ବୁଲଚାଲ ହୋଇକରି ଗଲି । ମାଆ ପୁଅ ଦିହିଁକି ଦିହେଁ ମତେ ଆଉ ପାଟି ଫିଟେଇଲେ ନାହିଁ । ମୁଁ ତେଣୁ ଆସି ବଣିଆକୁ ଡକେଇ ସେ ମଉଡ଼କଟା ସୁନାରେ ପୁଅ, ଝିଅ, ନାତିନାତୁଣୀଙ୍କ ପାଇଁ କାନକୁ, ନାକକୁ, ବେକକୁ, ମୁଣ୍ଡକୁ, ଜାତିଜାତିକା ଅଳଙ୍କାର ଗଢ଼େଇଲି । ଘର ଦୁଆର କରି ରହିଲି । ମୋ କଥାଟି ସଇଲା, ଫୁଲଗଛଟି ମଲା ।

ଶୋଧ୍ : କେବଳ, ସମ୍ପୂର୍ଣ୍ଣ, ପୂରା ଅର୍ଥରେ ପ୍ରୟୋଗ କରାଯାଏ; ଏଠାରେ ଘରର ବିପରୀତ ଦିଗରେ ଯିବା ଅର୍ଥରେ କୁହାଯାଇଛି
ବୋଲୁଅ : ମାଟିର ବଡ଼ ଟେଳାକୁ ବୋଲୁଅ କୁହାଯାଏ; ଟେକାଠାରୁ ଟେଳା ବଡ଼, ଟେଳାଠାରୁ ବୋଲୁଅ ବଡ଼
ଚୋରକୁ ମାନ କରି ଖପରାରେ ଖାଇବା : (ଓଡ଼ିଆ ଢଗ ଢମାଳି ଓ ପ୍ରବାଦ) କାହା ପ୍ରତି ଅଭିମାନ କରି ଦୁଃଖ ଭୋଗ କରିବା
କରଡ଼ି : ବାଉଁଶଗଜା, ବାଉଁଶଗଜାରୁ ପ୍ରସ୍ତୁତ ଏକପ୍ରକାରର ତିଅଣ; କିନ୍ତୁ ଏଠାରେ ଜଠରାଗ୍ନି ଅର୍ଥରେ କରଡ଼ି ଶବ୍ଦ ପ୍ରୟୋଗ କରାଯାଇଛି
ନାନମାନ : ଏକ ପ୍ରକାର ପୂରଦିଆ ଘିଅଛଣା ପିଠା
ବାରଜ : ଅଲଗା
ବାବଦ ବାବଦ : ଅଲଗା ଅଲଗା
ଦନା : ପତ୍ରଠୋଲା
କଣ୍ଟିକାଣ୍ଟି : ମାପକରି
ଖଞ୍ଜା ହୋଇଛି : ସଜା ହୋଇଛି
ଦୋଓଡ଼ା : ଦ୍ଵିତୀୟଥର
ଦୁଃଖ କରିବା : ପେଟପାଇଁ କାମ କରିବା (ଲୋକ ପ୍ରଚଳିତ ପ୍ରୟୋଗ)
ବେଏଁ : ଦୁଇ ହାତକୁ ଦୁଇ ପାଖକୁ ଭୂମି ସହିତ ସମାନ୍ତରାଳ କରି ଲମ୍ବାଇଲେ ଯେତେ ଲମ୍ବା ହେବ
ଅଠିଲ୍‌ : ଅଳିଚଳି ନପାରିବା, ନାକେଦମ୍, ପୂରା ଖୁସ୍
ନିଖଟୁ : କିଛି କାମ ନକରି ଅଳସୁଆ ହୋଇ ବସି ରହିବା, ନ ଖଟିବା ମଣିଷ
ଫୋଟକ : ଫୋକଡ଼, ବିନାଶ୍ରମରେ, ବିନାମୂଲ୍ୟରେ
ତୁନି : ନିରବରେ, ଗୁପ୍ତଭାବରେ
ମୋହିଁଵା : ଫେରିଵା,ମୁହାଁଇଵା
ଟୁମାଟୁମ୍ : ଅତି ଭୋଜନରେ ପୂର୍ଣ୍ଣ ଵା ଫୁଲିଥିଵା ପେଟ
ମିହନ୍ତ : ପରିଶ୍ରମ
ବଡ଼ି ଝପଟି : ବଡ଼ି ସକାଳୁ
ଚଳେ : ପୋଷେ, ଗୋଟେ ହାତ ପାପୁଲିରେ ରହି ପାରୁଥିବା ପରିମିତ
ଢୋଲେ ମାରିଵା : ପେଟ ପୂରା କରି ଭୋଜନ କରିଵା
ଅଧାର : ଆହାର,ଖାଦ୍ୟ
ଏଇତା : ଏମିତି, ଏମନ୍ତ, ଏତା, ଏୟା, ଇମିତି
ଭେଇଵା : ଭିଆଇଵା
ହାପୁ : ହାପୁଡ଼ିବା
ହେଣ୍ଡି ମାରି ବୁଲିଵା : ଵିଶେଷ ଆନନ୍ଦ ଵା ନିଶ୍ଚିନ୍ତତା ପ୍ରକାଶ କରିଵା; ଏଠାରେ ନିଷ୍କର୍ମା ଓ ନିଶ୍ଚିନ୍ତ ହୋଇ ବୁଲିଵା ଅର୍ଥରେ ପ୍ରୟୋଗ କରାଯାଇଛି
ଉବାର : ଅଜଣା, ଅଛପା
ବାଆଁରେଇବା : ଭୁଲାଇବା, ଛଳନା କରିଵା, ବାହାନା କରିଵା
ତେଲୁଣି : ପଲମ, ଢାଙ୍କୁଣି
କତରା : ଛିଣ୍ଡା ମସିଣା
କୁଆଛୁଆ ଉଡ଼ିଵା : ଭୀଷଣ ପ୍ରହାର ହେଵା
ପଇଟିଵା : ଜୁଟିଵା
ଥମ୍ବିବା : ଥମିଯିଵା,ରହିଯିଵା
ଅଷ୍ଟଦଣ୍ଡପାଟ : ବାତରା, ବାନା, ବୁଲା, ଛତରା; ଯେ ଚାରିଆଡ଼େ ଵିନା କାମରେ ବୁଲୁ ଥାଏ
ଉଗୁଡ଼େଇଵା : ମୁହଁ ମଡ଼ାଇ ରଖିଵା; ଲେଉଟାଇ ଦେଵା
କଲେଇ ବଲେଇ : କଲବଲ
ପରାସ : ଦେହର କୌଣସି ଅଂଶର ଦରଜ, ଵ୍ୟଥା, କଷ୍ଟ
ଗାଲିପାଡ଼ି : ମୁହଁର ଗୋଟିଏ ପାଖକୁ ଲଗାଇପଡ଼ି ରହି ଶୋଇଥିଵାର ଛଳନା କରିବା, ଚେଇଁ ଶୋଇଵା; ଲୁକ୍କାୟିତ ଭାବରେ କୌଣସି କଥା ଶୁଣିଵା
ରବୟା : ଘଟଣା
ପନ୍ଦାଡ଼ : ଘରର ଓଳି, ପିଣ୍ଡାର ଶେଷଭାଗ
ଅସରପି : ସ୍ଵର୍ଣ୍ଣମୁଦ୍ରା, ସୁନା ମୋହର
ସୋରସାର : ସୋର୍ ଶବଦ; କୌଣସି ପ୍ରକାରର ଶବ୍ଦ
ପାଚିଆ : ବାଉଁଶ ପାତିଆ; ତାଳ ବା ଖଜୁରି ପତ୍ର, କାଇଁଶ ଆଦିରେ ବୁଣା ଛୋଟ ଟୋକେଇ
ଜାଙ୍ଗୁଲୁ ଜାଙ୍ଗୁଲୁ : ଅନ୍ଧାରୁଆ, ମାଛିଅନ୍ଧାର, ପାହି ଆସୁଥିଵା ରାତି, ପହାନ୍ତିଆ ସମୟ, ଭୋର ସମୟ
ଅଇରି ଖପରା ବଇରି ବା / ଅଭଲ ପତର ବଉଳ ବା : (ଓଡ଼ିଆ ଢଗ ଢମାଳି ଓ ପ୍ରବାଦ) ଅତ୍ୟନ୍ତ ନିର୍ଦ୍ଧନ ଓ ଅଭାଵଗ୍ରସ୍ତ ଅଵସ୍ଥା

ଶୁଣନ୍ତୁ “ମାଡ଼ହାଣ୍ଡି କଥା” ପ୍ରତିମା ତ୍ରିପାଠୀଙ୍କ ସ୍ୱରରେ

ରଞ୍ଜନ କିସାନଙ୍କ ସ୍ୱରରେ ଶୁଣନ୍ତୁ YouTube ରେ

ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ । ଉତ୍ତର ତଳେ କମେଣ୍ଟ କରି ଜଣାଇବାକୁ ଅନୁରୋଧ ।

୧| ଚକୁଳିଆ ପଣ୍ଡା କିପରି ପେଟ ପୋଷୁଥିଲା ?
୨| ଚକୁଳିଆ ପଣ୍ଡା କାନ୍ଦି ବୋବାଇ ପଳାଇ ଆସିଲା କାହିଁକି ?
୩| ଚକୁଳିଆ ପଣ୍ଡା ଯେଉଁ ପୋଖରୀ ପାଖରେ ପହଞ୍ଚିଲା, ସେ ପୋଖରୀଟି କେମିତି ଥିଲା ?
୪| ଗଙ୍ଗାମାତା ଚକୁଳିଆ ପଣ୍ଡାର ଦୁଃଖ ସହି ନପାରି କ’ଣ କଲେ ?
୫| ଚକୁଳିଆ ପଣ୍ଡା ହାଣ୍ଡିରେ କ’ଣ ଦେଖିଲା ?
୬| ଗଙ୍ଗାମାତା ଚକୁଳିଆ ପଣ୍ଡା ଉପରେ ରାଗିଗଲେ କାହିଁକି ?
୭| ମାଡ଼ହାଣ୍ଡି କବଳରୁ ଚକୁଳିଆ ପଣ୍ଡା ଓ ତା’ ମାଆ ନିଜକୁ କିପରି ରକ୍ଷା କଲେ ?
୮| ଚୋରମାନେ ସିନ୍ଦୁକ ଛାଡ଼ି ପଳାଇଲେ କାହିଁକି ?
୯| ସିନ୍ଦୁକ ଭିତରେ କ’ଣ ସବୁ ଥିଲା ?
୧୦| ଚୋରମାନଙ୍କୁ ଗୋଡ଼େଇ ଗୋଡ଼େଇ ମାରିବା ପାଇଁ କେଉଁ ମାଡ଼ କେଉଁ ଦିଗକୁ ଗଲେ ?
୧୧| ଗରିବ ଚକୁଳିଆ ପଣ୍ଡା ଓ ତା’ ମାଆ ଧନୀ ହେଲେ କିପରି ?
୧୨| ‘‘ଶାଶୂ ମାରୁଥାଏ ବୋହୂକୁ, ବୋହୂ ଛାର ହୋଇ କାହାକୁ ମାରିଵ ମାରୁଥାଏ ଚୁଲି ମୁହଁକୁ ।’’ — କାହାକୁ ଲକ୍ଷ୍ୟ କରି ଏହା କୁହାଯାଇଛି ?
୧୩| ‘ମାଡ଼ହାଣ୍ଡି କଥା’ ଗଳ୍ପରୁ କ’ଣ ଶିକ୍ଷା ପାଇଲ ?

ମାଡ଼ହାଣ୍ଡି କଥା:
ଓଡ଼ିଆ ସାହିତ୍ୟ ବହିରୁ ସଂଗୃହିତ, ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସଂକଳକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଲେଖନୀରୁ କାଳଜୟୀ ଲୋକଗଳ୍ପ ‘ମାଡ଼ହାଣ୍ଡି କଥା.. ଚକୁଳିଆ ପଣ୍ଡା କଥା..’ ପଢ଼ନ୍ତୁ “ସ୍ମରଣିକା”ରେ ଓଡ଼ିଆରେ ।

Keywords: Humor, Ramya Rachana, Stories & Essays, Odia Sahitya Bahi, Odia Textbook, Odia Galpa, Kahani, Stories, Odia Prabandha, Articles, Essays, Madahandi Katha, Chakulia Panda, Purnachandra Bhashakosha, Gopala Chandra Praharaj, ରମ୍ୟ ରଚନା, ବ୍ୟଙ୍ଗ, କାହାଣୀ ଓ ପ୍ରବନ୍ଧ, ଓଡ଼ିଆ ସାହିତ୍ୟ ବହି, ଓଡ଼ିଆ ପାଠ୍ୟପୁସ୍ତକ, ଓଡ଼ିଆ ଗଳ୍ପ, କାହାଣୀ, ଓଡ଼ିଆ ପ୍ରବନ୍ଧ, ସନ୍ଦର୍ଭ, ମାଡ଼ହାଣ୍ଡି କଥା, ଚକୁଳିଆ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ଗୋପାଳ ଚନ୍ଦ୍ର ପ୍ରହରାଜ

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…

error: Content is protected !!