Select Page

== ଓଡ଼ିଆ ଲିରିକ୍ସ ==

ଗୀତ : ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ
ଭାଷା : ଓଡ଼ିଆ
ପୋଥି / ପୁସ୍ତକ : ବୈଦେହୀଶ ବିଳାସ, ନବମ ଛାନ୍ଦ
ରାଗ : ଚୋଖି
ଗୀତିକାର : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
କଣ୍ଠ : ଶ୍ୟାମାମଣି ପଟ୍ଟନାୟକ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ
ଆଲବମ : ଆରେ ବାବୁ ଶ୍ୟାମଘନ

ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ,
ହରେ ସୁରବର ତାପ ଚାରୁ ଧାରା ସେ
ବହେ ମକର କେତନ ଉଚ୍ଛନ୍ନ ରତି ସମାନ,
ପୂରିତ ହୋଇଛି ପୁଣି ଅଶେଷ ରସେ
ବିଦ୍ୟ ହୈମବତୀ ପଦରେ..
ବିଷକଣ୍ଠ ତୋଷ ଦାନୀ ବେନି ମତରେ ॥୧॥

ବିଷ୍ଣୁପଦୀ ବିଷ୍ଣୁପଦ ଈକାର ଭେଦ ଶବଦ,
ତରଣୀରେ ଗତାଗତ ତହିଁ ଉଚିତ
ବିଶାରଦ ସେ ସାମନ୍ତ ମତ୍ତରେ ଦାସ ସେବିତ,
ଡାକୁଁ ନ ଶୁଣନ୍ତେ ରଘୁନାଥ କଥିତ
ବିଷଧର ପ୍ରାୟେ କି ତୁହି..
ବେଳେ ନେତ୍ର ଢାଳି ଶୁଣ ଉଦାର ନୋହି ॥୨॥

ବଧୀର ନୁହଇ ବୀର ବୋଇଲା ତହୁଁ ଧୀବର,
ଶୁଣିଲିଣି ପଥରେ ପଥର ଅବଳା
ବାଲି ପଡ଼ି ତୋ ଚରଣୁ ଆଶଙ୍କା ଉପୁଜେ ଏଣୁ,
ନଉକା ନାୟିକା ହେଲେ ବୁଡ଼ିବ ଭେଳା
ବୃତ୍ତି ଏ ମୋ ପୋଷେ କୁଟୁମ୍ବ..
ବସାଇ ନ ଦେବି ପାଦ ନ ଧୋଇ ନାବ ॥୩॥

ବଢ଼ାଇ ଦେଲେ ପୟର ଭାବଗ୍ରାହୀ ରଘୁବୀର,
ପୟରେ କ୍ଷାଳିତ କରି ବସନେ ପୋଛି
ବ୍ରହ୍ମାରେ ଧୌତ ଯେ ପାଦ ନୋହିଛି ଶିବ ବିଷାଦ,
ନ ପାଇ ଚରଣାମୃତ ପାନକୁ ଇଚ୍ଛି
ବିଜ୍ଞାନୀ କୈବର୍ତ୍ତ ଧୋଇଲା..
ବିଶ୍ୱେ ପତିତପାବନ ନାମ ରହିଲା ॥୪॥

ବିଞ୍ଚି ପଲ୍ଲବ ନାବରେ ପଦ ବିକଳ୍ପ ମନରେ,
ପ୍ରତିହାରି କରିରେ ମଣାଇ ବସାଇ
ବିଶ୍ୱାମିତ୍ରଙ୍କୁ ଶ୍ରୀରାମ ପଚାରିଲେ ଗଙ୍ଗା ନାମ,
ଭାଗିରଥୀ କିମ୍ପା ହେଲା କହ ଗୋସାଇଁ
ବିଷ୍ଣୁ ନଖକୋଣେ ଏ ଥିଲା..
ବାମନାବତାରେ ଭଗୀରଥ ଆଣିଲା ॥୫॥

ବିଧିପୂର୍ବ କରି ଋଷି ସମସ୍ତ ଚରିତ ଭାଷି,
ତରୀ ତ ତ୍ୱରିତ ଯାଇ ଲାଗେ କୂଳର
ବିହାରି ହେଲେ ମାର୍ଗର ମାର୍ଗଣ କମାଣଧର,
ମାର୍ଗଣ ଶୋଭା ଲେଶକୁ କନ୍ଦର୍ପ ଯାର
ବିଦେହମଣ୍ଡଳେ ପ୍ରବେଶ..
ବାରବେନି ପୁର ସାର ମୋହନ ପୁଂସ ॥୬॥

ବିପଣିରେ ଥିଲା ଜନେ ଭାବନା କଲେ ଦଶନେ,
ଆଗତ କି ଧାତା ହର ମଧ୍ୟରେ ହରି
ବିଭଞ୍ଜନ ଶିବଧନୁ କରି ମରକତ ତନୁ,
ବିଭା ହେବେ ସୀତା ନିଶ୍ଚେଁ ଜନ୍ମିଛି ଶିରୀ
ବଶ ଏ ରମ୍ୟରେ ମାନସ..
ବିଜେ ରାମ ଅଦଭୁତେ ଶୁଭେ ଏ ଘୋଷ ॥୭॥

ବିଭ୍ରମୁ ଏ ଶବ୍ଦ ଚିତ୍ତେ ରା କା ହୋଇଗଲା ଶ୍ରୁତେ,
ନାରୀଏ ଭାଳିଲେ କେହି ସେ ରୂପବନ୍ତ
ବଳର କବି ମାନସ ନାମ ପଛେ ତ ପ୍ରକାଶ,
ଅଖଣ୍ଡଚନ୍ଦ୍ର ଏ ହୋଇବାର ଉଚିତ
ବୋଧିବେ ନୟନ ଚକୋରୀ..
ବିଶେଷେ ଶୋଭା ପୀୟୂଷ ପାନ ବିସ୍ତାରି ॥୮॥

ବିଷୟ କରି ଅନ୍ତର ସେ ପ୍ରାନ୍ତ ହତ ପ୍ରକାର,
ମଣି ରମଣୀ ବାହାର ଛନ୍ନ ଦ୍ୱିଗୁଣ
ବିନାଶି ଗୁରୁ ଗୌରବ ତାହାଙ୍କର ସେହି ଭାବ,
ଉଦିତରୁ କରି ନ ପାରିଲେ ବାରଣ
ବେଶେ ଥିଲେ ଯେତେକ ନାରୀ..
ବିହେ କେ ନେତ୍ରେ କଜ୍ଜ୍ୱଳ ଛଳେ କସ୍ତୁରୀ ॥୯॥

ବକ୍ଷସ୍ଥଳେ କେଉଁ ବାଳା କିଙ୍କିଣୀକି ଲମ୍ବାଇଲା,
ଚାପସରିକି ଖଞ୍ଜିଲା ମଧ୍ୟଦେଶରେ
ବେଶକାରୀ କେ କାହାର ସିନ୍ଦୂର ଦେଲା ପୟର,
ଚିତା ଲଲାଟରେ ଲେଖେ ଲାକ୍ଷାରସରେ
ବିବନ୍ଧ କରି କେ ଚିକୁର..
ବେଗେ କଙ୍କତିକାରେ ଶାମଳେ ଚାମର ॥୧୦॥

ବସିଥିଲା ପତିକୋଳ କେ ଘେନି ପତିତ ମେଳ,
ଗତି କରି ଯୁବା ଦେଖା ଗତି ସେ କରି
ବିପରୀତ କାହା ସାଇଁ ମାଗୁଁ ଦେଖିବା ଆଶାୟୀ,
ରୀତି ଦୁଇ ପୁଂସେ ଭାଷେ ପୁଷ୍ପେ ସଞ୍ଚରି
ବଳା ଖଞ୍ଜୁ କେ ମାନୀ ଭାଷି..
ବଲ୍ଲଭେ ଭୁଲାଇ କେବେ ନୁହଇ ଦୋଷୀ ॥୧୧॥

ବୟସୀଏ ଗୀତ ଗାଇ କେ ରାମା ବୀଣା ବଜାଇ,
ଥୋଇଅଛି ଭାବି ଚାହିଁ କୁଚ ରୋମାଳୀ
ବାଜିତ କିଙ୍କିଣୀ ସ୍ୱର ମଣିତ ଧାଉଁ ପ୍ରଚାର,
ଅମ୍ଭଠାରେ ଦେଲା ଭାଳି ଗମିଲା ଆଳୀ
ବିସୋର ସେ ରାଗରେ ରାଗ..
ବୋଲୁଥିଲେ ରାମକେରୀ ର ଳ ସଂଯୋଗ ॥୧୨॥

ବାନ୍ଧବ ବାନ୍ଧବୀ ରଞ୍ଜି ପରସ୍ପରେ ଭୁଞ୍ଜାଭୁଞ୍ଜି,
ପାନ ତୁଚ୍ଛା କର ଦିଆଦେଇ ହୋଇଲେ
ବାହୁ ବାହୁ ଆଲିଙ୍ଗନ ଲତିକା ତରୁ ସମାନ,
ତରୁଣ ତରୁଣୀ ଥିଲେ ତେଜି ଧାଇଁଲେ
ବାମା କେହି ହରିଦ୍ରା ଘେନେ
ବିଚ୍ଛିତି ଦେଖାଇ ଗଲା ନ ପୋଛି ସ୍ନାନେ ॥୧୩॥

ବଧୂ ପାତ୍ର ସାମନ୍ତଙ୍କ ଶ୍ରବଣେ ଅତି ଉତ୍ସୁକ,
ଜଗତୀ ଗତିକି ଦେଖି ସଖୀଏ ଭାଷେ
ବଡଭି ଲଭିଲ ନାହିଁ ବଡଭୀ ଲଭିବ ଚାହିଁ,
ଜଗତି ଗତି ଦାତାଙ୍କୁ ଅନଙ୍ଗ ବଶେ
ବାଟି ଶ୍ରମିହେବୁଁ ଉଶୀର..
ବାଧିବ ସରିବ ବେନି ଶିଶିରକର ॥୧୪॥

ବିଗ୍ରହ ତ୍ୱରା ଆରମ୍ଭେ ସୁନ୍ଦର ଦର୍ଶନ ଲୋଭେ,
ପ୍ରଭଞ୍ଜନ-ପଥ ପ୍ରଭଞ୍ଜନ ହୋଇବ
ବିଶ୍ୱସ୍ତେ ଜାତ ଏତେକ ଲାଭ ହୃଦ ସମ୍ପୂଟକ
ମଧ୍ୟରେ ସେ ମନୋରମ-ମଣି ଥୋଇବ
ବୋଲେ ସେ ତୁମ୍ଭର ନୋହିବ ?..
ବଞ୍ଚନା କଲାଣି କେତେ କାଳୁ ଦଇବ ॥୧୫॥

ବିବୁଧାଳୟ ଜଗତୀ ସ୍ଥିତି ନାରୀ ସୁରୀଭ୍ରାନ୍ତି,
ସୁମନା ମନ ମୋହନ ଛବି ଯାହାର
ବିଳୁଁ ବାହାରିଲା ପରି ନାଗ-ନାଗରୀ ଚାତୁରୀ,
ମଣି-ଭୂଷଣୀ ମଧ୍ୟରୁ ଯେତେ ବାହାର
ବେଭାରେ ତମାନବୀ ସର୍ବେ..
ବିଶୁଦ୍ଧ ତ୍ରିପୁର ଲୀଳା ତହିଁ ସମ୍ଭବେ ॥୧୬॥

ବାମା କାଳ ଭାନୁ ବାମା ପ୍ରସବ ସୂନୁ ସୁଷମା,
ଲକ୍ଷିତ ହୁଅନ୍ତା ଆନ ଆନନ ପ୍ରଭା
ବରନ ବସନ ଧରେ ନୀଳ ପୀତ ପରସ୍ପରେ,
ସ୍ମର ମଧୁ ଆଲିଙ୍ଗନ ବିହିଲା ଶୋଭା
ବିହ୍ୱଳିତ ଦମ୍ଭ ଅନାଇ..
ବାସ କଲା ଚିତ୍ତ ରାମ ଲକ୍ଷ୍ମଣେ ଯାଇଁ ॥୧୭॥

ବାଡେ ଯେ ଆଉଜି ରହି ଚିତ୍ର ପ୍ରତିମା କି ସେହି,
ନିରବଲମ୍ବିନୀ କି ଇନ୍ଧନ ପିତୁଳା
ବନ୍ଧକୀ ସ୍ୱଭାବ ଲୁଟି ପତିବ୍ରତା କଲେ ହଟି,
ସ୍ତମ୍ଭଟି ମହତ ସୃଷ୍ଟି ତାଙ୍କ ରଖିଲା
ବୋଲନ୍ତି କି କାହା ଶୁଣନ୍ତି..
ବିଜ୍ଞାତ ନୋହେ ମାଦକୀ ଚେତା ଆକୃତି ॥୧୮॥

ବୈଦେହୀ ବିମଳଦେହୀ କମଳ କେଶରେ ନାହିଁ,
ସହୀ ସହିତରେ ଥିଲେ ମଣ୍ଡି ଅଟ୍ଟାଳୀ
ବିହି ଲୋକନେ ପ୍ରଶଂସା କଳାଙ୍ଗେ କଲେ ଲାଲସା,
ଗଉରେ ଗଉରବତା ନେତ୍ର ନ ଢାଳି
ବର ଦେବରେ ଯେ ମନାସେ..
ବରଦେବର ହେବାକୁ ମାନସେ ଘୋଷେ ॥୧୯॥

ବାମଲୋଚନ ସ୍ଫୁରିତା ବାମମୋଚନ ବିଧାତା,
ପାଞ୍ଚୁ ପୁଲକ ପୁଲକ କପୋଳେ ଦିଶି
ବୃଦ୍ଧବୟଃ ସଙ୍ଗୀବାର ଭାଙ୍ଗିବ ଏ ଧନୁବର,
ମନରେ ଏମନ୍ତ କର ତା ଜାଣି ଭାଷି
ବ୍ୟକତ ଏମନ୍ତ ବଚନ..
ବିଶ୍ୱାସ ନିଃଶ୍ୱାସ ହାସ ନାଶା ଆନନ ॥୨୦॥

ବିପ୍ରଳାପ ଥାଇ ଭାଷେ ମନମାୟା ଯେ ରଭସେ,
ଏ ଯୋଗ ତୋର କର୍ମରେ ଅଛି ଘେନ ରେ
ବ୍ୟଳୀକ ଏ କି ? ଜନକ ନାରୀକେଳ ସଦୃଶକ,
ଧନୁ ସ୍ୱୟମ୍ବର କୃତ ତୋଷଦାନରେ
ବିଦଗ୍ଧତା ଚିତ୍ତେ ଘେନିଲେ..
ବୟସୀଗଣ ପ୍ରମାଣ ପ୍ରମାଣ ବୋଲେ ॥୨୧॥

ବୃକୋଦର ବାସବର ଦିଗଦନ୍ତୀ ମନୋହର,
ବିହରି ମଖଶାଳାରେ ପ୍ରବେଶବେଳେ
ବଂଶିକ ରାଜା ମାନସ ମଧ୍ୟରୁ ଧୈର୍ଯ୍ୟ ସାରସ,
ଅସ୍ପରଶେ ଦରଶନେ ଉତ୍ପାଟି ନେଲେ
ବିଚିତ୍ର-କର୍ମାଙ୍କ ଆଲୋକେ..
ବିଦେହରାଜ କୌଶିକେ ପୁଚ୍ଛିଲେ ଏ କେ ? ୨୨॥

ବଲଗିଲେ ମୁନି ତ୍ୱରିତ ଦଶରଥ ବେନିସୁତ,
ବନେ ତାଡ଼କା ବିନାଶି ରଖି ମୋ ଯାଗ
ବିନ୍ୟସ୍ତ କରି ଚରଣ ଗୌତମ-ନାରୀ ତାରଣ,
ଶିବ ଚାପ ଦେଖିବାକୁ ଏବେ ଉଦ୍‌ବେଗ
ବୋଇଲେ ଦେଖିଲେ ଦେଖନ୍ତୁ..
ବାଳ କୁମାରେ କି ହେବ ଏହାଙ୍କ ହେତୁ ? ୨୩॥

ବାଳି ବଳିଷ୍ଠରେ ସାର ବଳ କୋଟିଏ ସିଂହର,
ଭାଞ୍ଜିବା ଥାଉ ଭାଜିଲା ଶୁଣି ଛଳିତ
ବିଷ୍କିରେ ଗଣ୍ଡଭେରଣ୍ଡେ ଗଜକୁ ଘେନିଣ ଉଡ଼େ,
ଡାଳେ ବସେ, ଭାରତୀରେ ଭଗ୍ନ ବିହିତ
ବୋଲେ ପର୍ଶୁରାମ ପୂଜିଲେ
ବ୍ୟଭିଚାର କ୍ଷତ୍ରି ଧର୍ମ ବିପ୍ର ବୋଇଲେ ॥୨୪॥

ବାଣାସୁର କାର୍ତ୍ତବୀର୍ଯ୍ୟ ସହସ୍ର ଭୁଜରେ ହେଜ,
ଟେକି ନ ପାରିଲେ ତହୁଁ କଲେ ଉତ୍ତର
ବୃଶ୍ଚିକ କର୍କଟପରି ସିନା ତାହାଙ୍କ ମାଧୁରୀ,
ନାଗ ବ୍ୟତ୍ରକେ କେ ଆନ ଧରଣୀ ଧର
ବିଂଶକର କହିବା ନୋହୁ..
ବାଳି ଅର୍ଜୁନରେ ଧରାଯାଇଛି ଯେହୁ ॥୨୫॥

ବିଘ୍ନରାଜ ମହାସେନ ଲବଣ ଆଦି ରାଜନ,
ପ୍ରଭା ଦେଖାଇ ମଳିନ ଭାବ ଭାଷିଲେ
ବଞ୍ଚକ ପରାୟେ ତେବେ ମୁଖରେ ଅନଳେ ଜବେ,
ଦେଖାଇ ନାଶି ଭୀରୁକ ହେଲେ ଦୁଷିଲେ
ବିବୋଧ ନୁହ ହେ ଜନକ !..
ବିଭୀତେ ଦେଖିବେ ଏ ଅଣାଅ ପିନାକ ॥୨୬॥

ବିତପନ କଲେ ନେଇ ତପନବଂଶିକ ତହିଁ,
ସଭାରେ ଲୋଭା ଅନାଇ ନୃପ ସକଳ
ବିଦର୍ଭ, କର୍ଣ୍ଣାଟ, ଭୋଟ, ସଉରାଷ୍ଟ୍ର, ମରହଟ୍ଟ,
କୁନ୍ତଳ, କେରଳା, ଚୋଳ, ସିନ୍ଧୁ, ଉତ୍କଳ
ବାହ୍ଲିକ, ତୁରଷ୍କ, ନିଷେଧ..
ବଙ୍ଗ, ଅଙ୍ଗ, କଳିଙ୍ଗ, ଚୋଡ଼ଙ୍ଗ, ମଗଧ ୨୭॥

ବେଦି, ଚେରି, ମଘ, ମତ୍ସ, ଦ୍ରାବୀଡ଼, ଗଉଡ଼, ମ୍ଳେଚ୍ଛ,
ଆରବ, ମାଳବ, କଚ୍ଛ, କୁରୁ, ସଞ୍ଚାଳ
ବନାଉଜ, କନାଉଜ, କାଶ୍ମୀର, କାମେରୀ, କୁଞ୍ଜ,
ଗଳ, ଡାହାଳ, ଲୋମଶ ପୁଣ୍ଡ୍ର, କୋଶଳ
ବେଲାଉଳ ଆଦି ଏ ଠିକ..
ବିଶେଷି କହିବା କେତେ କହେ ଜନକ ॥୨୮॥

ବିନିନ୍ଦ୍ୟ ଭୁପତିମାନେ ବହୁଦିନୁ ଅଭିମାନେ,
ବସ କି କାରଣେ ଧନୁ ଆଣ ନ କହ
ବ୍ୟାଜ ଦମ୍ଭ ପରା ପ୍ରତେ ଏବେ ଦଶରଥ ସୁତେ,
ଆସିଛନ୍ତି ଦେଖିବାକୁ ବଳାଇ ସ୍ନେହ
ବୋଇଲେ ଆଣିବା ସେ ଚାପ..
ବଦନ୍ତେ ଅଣାଅ କହେ ନୃପକଳାପ ॥୨୯॥

ବଳବନ୍ତ ଏକୁଁ ଏକ ଆଜ୍ଞାକୁ ମଲ୍ଲ ଅନେକ,
ଯନ୍ତ୍ରେ ଓଟାରି ଆଣିଲେ ମଞ୍ଜୁଷଗୋଟି
ବ୍ରହ୍ମାଣ୍ଡଯାକ ଧଇଲେ ଚଳନ୍ତା ନାହିଁ ଯେ ତିଳେ,
ଚକ୍ର କଟ୍‌କଟ୍‌ ହୁଁକାର ନଭେ ପ୍ରକଟି
ବା କ୍‌ଚାତୁରୀ ମଇଥିଳର..
ବାଣାସନ ଆସିଲା ବିଳମ୍ବ ନ କର ॥୩୦॥

ବଳବାନେ ଅଧିକ କେ ଜାଣୁ କଷଟୀ କାର୍ମୁକେ,
ସମୂଳେ ହୋଇଲେ ସିନା ସୁବର୍ଣ୍ଣ ସର୍ବେ
ବଇଦେହିକ ଯେ ଆମ୍ଭେ ଭୂଷଣ କର୍ମ ଆରମ୍ଭେ,
କନ୍ୟାରତ୍ନ ସଙ୍ଗେ ଯୋଗ କରିବୁଁ ତେବେ
ବଚ ଶ୍ରୋତେ ଗଲେ ସମସ୍ତ..
ବ୍ୟାଘ୍ର ପତନ ଯନ୍ତାକୁ ଚାହିଁଲା ମତ ॥୩୧॥

ବିଭାବସୁ ବିଭାବସୂ ଏକସ୍ଥାନେ ଏ କି ବସୁଁ,
ଭାବି ନେତ୍ର ବୁଜି ମୁଖ ପଛକୁ କଲେ
ବିଳେ ନିଦ୍ରା ହରି ବୃଷ, ବିଳେ ନିଦ୍ରା ହରି ବୃଷ,
ଦେଖି ଯଥା ପଳାୟିତ ତଥା ହୋଇଲେ
ବାସେ ଯାଇ କେତକୀ ପାଶେ..
ବସେ ପଲାଶେ ଭୃଙ୍ଗାଳି କି ସ୍ୱଭାବୁଁ ସେ ॥୩୨॥

ବୈରାଗ୍ୟ ଆକୁଳ କୂଳେ ଭାସିଲେ ଭୂମିପକୁଳେ,
ଭାଷିଲେ ଜନକ ଗମ ଶ୍ରୀରାମ ବେଗେ
ବତାଇ ସୁମିତ୍ରା ବତ୍ସ ନାହିଁ ସୁମିତ୍ରାରି ସ୍ୱଚ୍ଛ,
ନମ୍ରେ ଧଇଲେ ବାଛିବେ ଚାପେ ଓଳଗେ
ବିଶ୍ୱାମିତ୍ର ନେତ୍ରରୁ ଜାଣି..
ବାହାରିଲେ ଶସ୍ତ୍ର ଦେଇ ଲକ୍ଷ୍ମଣ ପାଣି ॥୩୩॥

ବିକ୍ରମ ଗତିକି ବିହି ଶରଧା ଚାପକୁ ଚାହିଁ,
କେଶରୀ ଗିରି ମଧ୍ୟରୁ ସେହି ସ୍ୱଭାବେ
ବିରାଜ ମୂର୍ତ୍ତି ଯେ ଧୃତ ମଞ୍ଜୁ ମଞ୍ଜୁଷରୁ ସତ,
ଧନୁ ଆକର୍ଷି ଆଣିଲେ ପନ୍ନଗ ଭାବେ
ବକପୁଷ୍ପ ମାଳା ମାଳିକ..
ବିକ୍ରୟକୁ ଚାଙ୍ଗଡ଼ାରୁ ଟେକିଲା ଦୃକ ॥୩୪॥

ବକ୍ତ୍ରେ ଗଳି ରାଜନ୍ୟଙ୍କ ବକ୍ତ୍ରେ ଜନକ ଜନକ,
ଏହି ଗିରି ଶରଭେଦ ହୃଦୟ କରେ
ବିଜୟୀ ଏ ତ୍ରିପୁରର ବିଜୟୀ ଏ ତ୍ରିପୁରର,
ଧଇଲା ଧଇଲା ଧନୁ ଅନାୟାସରେ
ବିଦ୍ରାବକୁ ଲଜ୍ଜାରେ ଭାଳି..
ବିପଲକେ ଅନାଇଲେ ନ ପାରି ଚଳି ॥୩୫॥

ବରାକାବରାଙ୍ଗୀ ସୀତା ବରାକ କରଇ ଚିନ୍ତା,
ଜୀବନ ଯାଉ ନୋହିଲେ ହେଲେ ଏ ବର
ବିମିଳିତ ନେତ୍ର ଫିଟେ ମୁଦ୍ରିତ କଞ୍ଜକି ଫୁଟେ,
ପ୍ରମୋଦଦାୟକ ପରଭୃତଙ୍କ ସ୍ୱର
ବ୍ୟଲୀକତା କେ ବୋଲୁଥିଲା..
ମଧୁର ସେ ଦିନବନ୍ଧୁ ଦର୍ଶନେ ହେଲା ॥୩୬॥

ବୃନ୍ଦାରକ-ବୃନ୍ଦାରକେ ସେ ଯେ ପୁଚ୍ଛିଲେ ଜନକେ,
ଦେବା ଶିଞ୍ଜିନୀ ଉତ୍ତମ ବୋଲି ସେ କହି
ବୀର୍ଯ୍ୟ ଦମ୍ଭ ବେନି ଯୋଗେ ଅଷ୍ଟନାଗେ ଅଷ୍ଟନାଗେ,
ଧର ଧରଣୀକି ବୋଲେ ଲକ୍ଷ୍ମଣ ତହିଁ
ବିକଳିତେ ପୃଥିବୀ ଭାଳେ..
ବସୁ ହୁଳ ପାଦଅନ୍ତେ ପଡ଼ିବି ତଳେ ॥୩୭॥

ବୃଦ୍ଧାଙ୍ଗୁଳି ପରେ ପଦେ ରାମ ରଖିଲେ ସମଦେ,
ଜାଣିଲେ ତା ଅତ୍ୟନ୍ତ ଅଧୈର୍ଯ୍ୟ ହେବାର
ବାସୁକି କି ବହେ କୁର୍ମ ବହିଲା ସେ ମନୋରମ,
ଗୁଣବନ୍ତ ଗୁଣ ଦତ୍ତ କଲେ ସତ୍ୱର
ବୈନାଶିକ ନାଡ଼ୀ ମୋ ହେଲା..
ବାମେ ରହି ଅଜଗବ ବିଚାର କଲା ॥୩୮॥

ବିଗୂଢ଼ବଶେ ଓଟାରେ ପ୍ରଚଣ୍ଡ ମଲ୍ଲ ହସ୍ତରେ,
ଏରଣ୍ଡ ଦଣ୍ଡ ପଡି଼ଲା ପରି ଭାଜିଲା
ବ୍ରହ୍ମାଣ୍ଡ ଭାଣ୍ଡ ପୂରିତ ପ୍ରଳୟକାଳେ ଏକତ୍ୱ,
ଚାରିମେଘ ଗର୍ଜିଲା ଶବଦ ଗଞ୍ଜିଲା
ବିବୁଧେ ମୂର୍ଚ୍ଛିତ ଚେତାରେ..
ବେଳେ ପ୍ରାଣ ଅମୃତ ରଖିଲା ବିଚାରେ ॥୩୯॥

ବସୁଧାଭୃତେ ଟଳିଲେ ବସୁଧାଭୃତେ ଚଳିଲେ,
ସେହି ତରଳିତ ଧାତୁ ଧାରା ହେଲାଟି
ବଳି-ବର-ବଳୀ ବର ଆନ କି ହୋଇବ ମୋର,
ଭାବେ ଶତକୋଟି ଶତକୋଟି ତ ବୃଷ୍ଟି
ବିଚିତ୍ର କି ନରେ କିନ୍ନରେ ?..
ବିଚେତନ ହେଲେ ଯହିଁ ନାରକି ନରେ ॥୪୦॥

ବିଭ୍ରଷ୍ଟ ଯେ ବ୍ରହ୍ମଚାରୀ ଧ୍ୟାନ ତହିଁକି ବିଚାରି,
ବିଭ୍ରଷ୍ଟ ଯେ ବ୍ରହ୍ମ ଚାରିମୁଖୁଁ ବେଦହିଁ
ବିଖଣ୍ଡନ ଚଣ୍ଡିମାନ ଈଶରେ ସ୍ନେହୀ ନ ଘେନ,
ବିଖଣ୍ଡନ ଚଣ୍ଡୀମାନ ଈଶରେ ସ୍ନେହୀ
ବାହାରନ୍ତେ ବ୍ରହ୍ମାଣ୍ଡ ଫୁଟି..
ବିରବ ସମସ୍ତଙ୍କର ଜ୍ଞାନ ପ୍ରକଟି ॥୪୧॥

ବୀରେଶ୍ୱର କରି ପୂଜା କଲା ସେ ମିଥିଳା ରାଜା,
ବସାଇ ରଘୁତ୍ତମଙ୍କୁ ସିଂହାସନରେ
ବିହାୟସେ ଦେବେ ଆସେ ରାମ ଦର୍ଶନ ଲାଳସେ,
ଶବ୍ଦ ଶୁଣି ରାବଣ ମିଳିଲା ସେଠାରେ
ବୀର ସେ ବାହୁଡେ଼ ବିରସେ..
ବୟାଳିଶ ପଦେ ଛାନ୍ଦ ଉପେନ୍ଦ୍ର ଭାଷେ ॥୪୨॥

ସମ୍ପୂର୍ଣ୍ଣ ଗୀତଟି ଏଇଠି ଶୁଣନ୍ତୁ
ଶ୍ୟାମାମଣି ପଟ୍ଟନାୟକ (Shyamamani Pattnaik) ଙ୍କ କଣ୍ଠରେ

ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ:
ଓଡ଼ିଆ ପାଠ୍ୟପୁସ୍ତକ / ସାହିତ୍ୟ ବହିରୁ ସଂଗୃହୀତ
ଶ୍ୟାମାମଣି ପଟ୍ଟନାୟକଙ୍କ କଣ୍ଠରେ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ଓଡ଼ିଆ ରାମାୟଣ କାବ୍ୟ ‘ବୈଦେହୀଶ ବିଳାସ’ ର ନବମ ଛାନ୍ଦ “ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ.. ବିଷ୍ଣୁପଦୀ ବିଷ୍ଣୁପଦ ଈ କାର ଭେଦ ଶବଦ.. ବାଲି ପଡ଼ି ତୋ ଚରଣୁ ଆଶଙ୍କା ଉପୁଜେ ଏଣୁ..” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍‌” ରେ ଓଡ଼ିଆ ଓ ଇଂରାଜୀରେ ।

== English Lyrics ==

Song : Bitalaku Alingana Kari Janhabi Shobhana
Language : Odia
Scripture / Book : Baidehisa Bilasa, 9th Chhanda
Raga : Chokhi
Lyricist : Kabi Samrat Upendra Bhanja
Singer : Shyamamani Pattnaik
Music Direction : Traditional
Album : Aare Babu Shyama Ghana

Bitalaku aalingana kari Janhabi shobhana,
Hare surabara tapa charu dhara se
Bahe makara ketana ucchhanna rati samana,
Purita hoichhi puni ashesha rase
Bidya haimabati padare..
Bishakantha tosha dani beni matare ॥1॥

Bishnupadi Bishnupada ikara bheda shabada,
Taranire gatagata tahin uchita
Bisharada se samanta mattare dasa sebita,
Dakun na shunante Raghunatha kathita
Bishadhara praye ki tuhi..
Bele netra dhali shuna udara nohi ॥2॥

Badhira nuhai bira boila tahun dhibara,
Shunilini pathare pathara abala
Bali padi to charanu aashanka upuje enu,
Nauka nayika hele budiba bhela
Brutti e mo poshe kutumba..
Basai na debi pada na dhoi naba ॥3॥

Badhai dele payara bhabagrahi Raghubira,
Payare khyalita kari basane pochhi
Bramhare dhuta je pada nohichhi shiba bishada,
Na pai charanamruta panaku icchhi
Bigyani kaibarta dhoila..
Bishwe patitapabana nama rahila ॥4॥

Bitalaku Alingana Kari Janhabi Shobhana:
Lyrics of song “Bitalaku aalingana kari Janhabi shobhana.. Bishnupadi Bishnupada i kara bheda shabada.. Bali padi to charanu ashanka upuje enu..”, the 9th Chhanda of Odia Ramayana Kabya ‘Baidehisa Bilasa’ by Kabi Samrat Upendra Bhanja, collected from Odia Pathyapustaka / Sahitya Bahi,
sung by Shyamamani Pattnaik on “Smaranika.in” in Odia and English.

Note
The most famous part of this song has been presented here in English script for non-odias or those who have interest in Odia language and literature but are unable to read Odia script. We are refraining ourselves from transliterating the complete song in English as it won’t be helpful. On the other hand, we encourage you to learn Odia language to experience its sweetness.

Keywords: ଓଡ଼ିଆ କାବ୍ୟ ‘ବୈଦେହୀଶ ବିଳାସ’ ରୁ ସଂଗୃହୀତ ଛାନ୍ଦ, ଓଡ଼ିଆ ଛାନ୍ଦ ଭଜନ ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ / ବିଷ୍ଣୁପଦୀ ବିଷ୍ଣୁପଦ ଈ କାର ଭେଦ ଶବଦ / ବାଲି ପଡ଼ି ତୋ ଚରଣୁ ଆଶଙ୍କା ଉପୁଜେ ଏଣୁ, ଓଡ଼ିଆ ଭଜନ, ଗୀତିକାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କଣ୍ଠଶିଳ୍ପୀ ଶ୍ୟାମାମଣି ପଟ୍ଟନାୟକ, Chhanda from Odia Kabya Baidehisa Bilasa, Odia Chhanda Bhajan Bitalaku aalingana kari Janhabi shobhana / Bishnupadi Bishnupada i kara bheda shabada / Bali padi to charanu ashanka upuje enu, Odia Bhajan, Lyricist Kabi Samrat Upendra Bhanja, Singer Shyamamani Pattnaik, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସ୍ମରଣିକା, ସ୍ମରଣିକା ଡଟ୍‌ ଇନ୍, ଦି ସ୍ମରଣିକା ବ୍ଲଗ୍‌,‌ Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Smaranika, Smaranika.in, The Smaranika Blog, Odia Poem, MIL Odia,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…

error: Content is protected !!